ମମିତା ମେହେର ନିଖୋଜ ମାମଲାର ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ । ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ କହିଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

147

କନକ ବ୍ୟୁରୋ: ବହୁଚର୍ଚ୍ଚିତ କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ହେବା ଓ ଆଜି ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ଶବ ଉଦ୍ଧାର ହେବା ପରେ ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଏହି ଘଟଣାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏବେ ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିବା ସହିତ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ଏହି ମାମଲାରେ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।

ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ସେହି କଲେଜରେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା । ମାର୍କ ବଢାଇବା ପାଇଁ ଛାତ୍ରୀଙ୍କ ଯୌନଶୋଷଣ କରାଯାଉଥିଲା । ଅନ୍ୟପଟେ ଗୋବିନ୍ଦ ସାହୁ ପୋଲିସ ହେପାଜତରେ ଥିଲାବେଳେ କିପରି ଫେରାର ହେଲାବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଫେରାର ହେବା ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଅଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ତେଣୁ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହିତ ଏହାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।

ସୂଚନା ଯୋଗ୍ୟ ଯେ, କଳାହାଣ୍ଡି କେଗାଁ ଥାନା ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ସ୍କୁଲ ମାଲିକ ମମିତାଙ୍କୁ ସ୍କୁଲକୁ ଡାକିଥିବାବେଳେ, ସେ ସ୍କୁଲ ଯିବା ବାଟରେ ହିଁ ନିଖୋଜ ହୋଇଯାଇଥିଲେ । ଏହାପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଏହି ଘଟଣାରେ ଉଠାଇ ଆଣିଥିଲେ ବି ସେ ପୋଲିସ ହେପାଜତରୁ ଫେରାର୍ ହୋଇଥିଲେ । ଯାହା ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ମମିତା ମେହେରଙ୍କ ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି ।

ଅନ୍ୟପଟେ ଆଜି ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ଏକ ସୁନା ଚେନ ଓ ପାଉଁଜିକୁ ଜବତ କରିଛି ପୋଲିସ । ତେବେ ଏହି ମୃତଦେହ କାହାର ସେନେଇ ଏପର୍ଯ୍ୟନ୍ତ ପୋଲିସ କୌଣସି ସୂଚନା ଦେଇନି । ତେବେ କଂଗ୍ରେସ କିନ୍ତୁ ଏହି ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିବା ସହିତ ତୁରନ୍ତ ତାଙ୍କର ଇସ୍ତଫା ଦାବି କରିଛି । ଅନ୍ୟପଟେ ଏହି ଘଟଣାର ସିବିଆଇ ତଦନ୍ତ ହେବା ସହିତ ମନ୍ତ୍ରୀଙ୍କୁ ମଧ୍ୟ ଏଥିରେ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସାଲୁଜା କହିଛନ୍ତି ।