ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଂଗ୍ରେସର ଦାବି । ଲୋକଙ୍କ ଜୀବନକୁ ବାଜି ଲଗାଇ ନିର୍ବାଚନ ନକରିବାକୁ ଅପିଲ୍ । ବିଜେଡି-ବିଜେପି କ’ଣ କହିଲେ ପଢ଼ନ୍ତୁ…

237

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ଘୁଂଚାଇବାକୁ କଗ୍ରେସର ଦାବି । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରେସମିଟ୍ କରି କହିଛନ୍ତି ଦଳ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି, ହେଲେ ଲୋକଙ୍କ ଜୀବନକୁ ବାଜି ଲଗେଇକି ନୁହେଁ । ରାଜ୍ୟରେ କରୋନା ସ୍ଥିତି ଉପରମୁହାଁ ଥିବାବେଳେ ନିର୍ବାଚନ ଲଢ଼ିବା କେତେଦୂର ସମୀଚିନ । କଂଗ୍ରେସ ଥରେ ଜଣେ ପ୍ରାର୍ଥୀଙ୍କୁ କରୋନା ଯୋଗୁଁ ହରାଇ ସାରିଛି । ଏହି ଉପନିର୍ବାଚନରେ ସରକାର ବଦଳି ଯିବନି । ତେଣୁ ସମସ୍ତେ ଭୋଟ୍ ଅପେକ୍ଷା ଲୋକଙ୍କ ଜୀବନ କଥା ଭାବନ୍ତୁ । ପଶ୍ଚିମବଙ୍ଗ ଭଳି ପିପିଲି ଡେଲାଙ୍ଗରେ ନହେଉ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଘୁଂଚାଇବାକୁ ବିଜେପି, ବିଜେଡି ଓ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି କଂଗ୍ରେସ ।

ସେପଟେ କଂଗ୍ରେସ ଦାବି ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । କହିଛନ୍ତି, ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଯାହା କହୁଛି, ତାଙ୍କ ନେତା ସୁରେଶ ରାଉତରାୟ ଅନ୍ୟ କଥା କହୁଛନ୍ତି । ପ୍ରଥମେ ସେମାନେ ନିଷ୍ପତ୍ତି କରନ୍ତୁ କଣ କରିବେ । ତାପରେ ନିର୍ବାଚନ କମିଶନଙ୍କୁ ଭେଟି ଦାବି ରଖନ୍ତୁ । ନିର୍ବାଚନ କମିଶନ ଯେଉଁ ପ୍ରୋଟୋକଲ କରିଛନ୍ତି, ସେହି ଅନୁସାରେ ନିର୍ବାଚନ ହେଉଛି । ମୁଖ୍ୟମନ୍ତ୍ରୀ କହି ସାରିଛନ୍ତ. ପ୍ରାର୍ଥୀଙ୍କ ସମେତ ପାଂଚ ଜଣ ବୁଲି ବୁଲି ପ୍ରଚାର କରୁଛନ୍ତି । କୌଣସି ସଭା ଶୋଭାଯାତ୍ରା ନକରିବାକୁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ବିଜେପି କୋଭିଡ୍ ଗାଇଡଲାଇନ ଅନୁସାରେ ଉପନିର୍ବାଚନ କରିବାକୁ କହିଛି ବିଜେପି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କଂଗ୍ରେସ ଅଭିଯୋଗର ବାସ୍ତବତା ଓ ସତ୍ୟତା ନାହିଁ । ଏହା କେବଳ ପଲିଟିକାଲ ଗିମିକ । ନିର୍ବାଚନ ଏକ ଗଣତାନ୍ତିକ ପଦ୍ଧତି । ନୋଟିଫିକେସନ ହୋଇସାରିଛି । ତେଣୁ ନିର୍ବାଚନ ବନ୍ଦ ହେବାର ସମ୍ଭାବନା ନାହିଁ । ଯଦି ସମସ୍ତ ରାଜନୈତିକ ଶହେ ପ୍ରତିଶତ କୋଭିଡ୍ ନିୟମ ମାନି ନିର୍ବାଚନ ଲଢ଼ିବେ, ତେବେ ଏହା ଏକ ଦୃଷ୍ଟାନ୍ତ ମଧ୍ୟ ସୃଷ୍ଟି କରିପାରିବ ।