ମନ୍ତ୍ରୀ ଯଦି ନିର୍ଦ୍ଦୋଷ ତେବେ ପ୍ରମାଣିତ କରନ୍ତୁ, ନହେଲେ ଇସ୍ତଫା ଦିଅନ୍ତୁ । କଂଗ୍ରେସର କଡା କଥା ।

99

କନକ ବ୍ୟୁରୋ : ମେହେର ହତ୍ୟାକାଣ୍ଡ ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏହି ଅପରାଧରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ମା’ ମାଣିକେଶ୍ୱରୀଙ୍କ ନାଁରେ ଶପଥ କରି କହିଛନ୍ତି ଦିବ୍ୟଶଙ୍କର । ଆଉ ଦିବ୍ୟଶଙ୍କରଙ୍କ ଏଭଳି ବିବୃତି ଆସିବା ପରେ ଟାର୍ଗେଟ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ଦିବ୍ୟ ବଚନ ବନ୍ଦ କରନ୍ତୁ ଦିବ୍ୟଶଙ୍କର । ରାୟପୁର ବାସଭବନରେ ମମିତା ଓ ଗୋବିନ୍ଦଙ୍କୁ ନେଇ ବୁଝାମଣା କରିଥିଲେ କି ନାହିଁ ତାହା ସ୍ପଷ୍ଟ କରୁନ୍ତୁ ବୋଲି ଗଣେଶ୍ୱର କହିଛନ୍ତି ।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦିବ୍ୟ ବଚନ ଦେବା ବଦଳରେ ଆଗ ଇସ୍ତଫା ଦିଅନ୍ତୁ । ଯିଏ ଦୋଷୀକୁ ସହଯୋଗ କରିଛି ସେ ମଧ୍ୟ ଅପରାଧ କରିଛି । ଆଇନ ଆଖିରେ ସେମାନେ କେବେ ବର୍ତିପାରିବେ ନାହିଁ । ତେଣୁ ମନ୍ତ୍ରୀ ଇସ୍ତଫା ଦେବା ଦରକାର । ଏଥିସହ ତଦନ୍ତର ସାମ୍ନା କରିବା ଦରକାର । କଂଗ୍ରେସ ନେତା ଗଣେଶ୍ୱର ମିଶ୍ର କହିଛନ୍ତି, ଯଦି ମନ୍ତ୍ରୀ ଦୋଷୀ ନୁହନ୍ତି ତାହେଲେ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରନ୍ତୁ । ଦୋଷୀ ଦଣ୍ଡ ନପାଇବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଗଣେଶ୍ୱର କହିଛନ୍ତି । ମମିତା ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ବାର୍ତ୍ତାଳାପ କରିଥିଲେ କି ନାହିଁ ତାହା ସ୍ପଷ୍ଟ କରନ୍ତୁ ଦିବ୍ୟଶଙ୍କର । ଦୋଷୀ ନୁହେଁ ବୋଲି ରାଣ ଖାଇ ପିଲାଳିଆମୀ କରନ୍ତୁ ନାହିଁ ଦିବ୍ୟଶଙ୍କର ।

ଗଣମାଧ୍ୟମ ନାଁରେ ମାନହାନୀ ମୋକଦ୍ଦମା କରି ଗଣମାଧ୍ୟମର ସ୍ୱର ଚପାଇବାକୁ ଚେଷ୍ଟା କରୁନାହାନ୍ତି ଦିବ୍ୟଶଙ୍କର । ଧମକ ଦେଇ ସତ ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଉଛି । ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘନିଷ୍ଠ ସହଯୋଗୀ । ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କର ସଂପୃକ୍ତି ରହିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।