ମମିତା ହତ୍ୟା ମାମଲାରେ ଥମୁନି ପ୍ରତିବାଦ : ପରିବାର ଲୋକଙ୍କୁ ଭେଟିବାକୁ ଯାଉଛି କଂଗ୍ରେସ ପ୍ରତିନିଧି ଦଳ

ଟିମରେ ରଣଦୀପ ସୂର୍ଜେୱାଲା, ଚେଲାକୁମାର ଓ ନରସିଂହ ମିଶ୍ର; ଏପଟେ ନୂଆପଡ଼ା, ସୂବର୍ଣ୍ଣପୁରରେ ବିଜେପି ପାଳୁଛି ୧୨ ଘଂଟିଆ ବନ୍ଦ

88

କନକ ବ୍ୟୁରୋ : ଥମୁନି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି । ମମିତା ମେହେରଙ୍କ ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ରହିଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଓ ଗିରଫ ଦାବିରେ, ବିରୋଧୀ ସପ୍ତାହେ ହେଲା ଆନ୍ଦୋଳନ, ପ୍ରତିବାଦ ଚଳାଇ ଆସିଛନ୍ତି । ଏହି କ୍ରମରେ ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ବଲାଙ୍ଗୀର ଗସ୍ତ କରିବେ । ଓଡିଶା ପ୍ରଭାରୀ ଡ. ଏ ଚେଲ୍ଲାକୁମାର ଓ ସାଧାରଣ ସମ୍ପାଦକ ରଣଦୀପ ସୁର୍ଜେୱାଲା ବଲାଙ୍ଗିର ଯିବେ ।

ନରସିଂହ ମିଶ୍ରଙ୍କ ସହ ଦୁଇ ନେତା ମମିତାଙ୍କ ପରିବାର ଲୋକଙ୍କୁ ଭେଟିବେ । ଓଡ଼ିଶା କଂଗ୍ରେସ ପ୍ରଭାରୀ ସାଂସଦ ଏ. ଚେଲାକୁମାର ଓ ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୁରେଜୱାଲା ହ୍ୟାଲିକ୍ୟାପ୍ଟର ଯୋଗେ ଝରଣୀ ଗାଁକୁ ଯାଇ ନିଖୋଜ ମମିତାର ପରିବାରେ ଲୋକଙ୍କୁ ଭୋଟିବେ । ଅପରାହ୍ନ ୪ଟାରେ ଏନେଇ ସାମ୍ବାଦିକ ସମ୍ମିଳନୀ କରିବେ । ପିସିସି ସଭାପତି ନୀରଂଜନ ପଟ୍ଟନାୟକ, ଗଣେଶ୍ୱର ବେହେରା, ରୁଦ୍ର ରାଜୁ ପ୍ରମୁଖ କଂଗ୍ରେସ ଭବନରେ ଆଲୋଚନା କରିବେ ।

ସେପଟେ, ଆଜି ସୁବର୍ଣ୍ଣପୁର, ନୂଆପଡ଼ା ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ବିଜେପି । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ମାମଲାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦାବିରେ ଏହି ବନ୍ଦ ଡକାରା ଦେଇଛି ବିଜେପି । ସକାଳୁ ସକାଳୁ ନୂଆପଡ଼ାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ସୁବର୍ଣ୍ଣପୁରରେ ମଧ୍ୟ ସକାଳୁ ସକାଳୁ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ ।