ଅଡୁଆରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର । ଜଗନ୍ନାଥଙ୍କ ମୂର୍ତ୍ତି ଧରି ନିର୍ବାଚନ ପ୍ରଚାର ନେଇ ତେଜିଲା ବିବାଦ, ସିଇଓଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ ।

830

କନକ ବ୍ୟୁରୋ: ବିବାଦରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ହାତରେ ଜଗନ୍ନାଥଙ୍କ ଫଟୋ ଧରି ପ୍ରଚାର କରିବା ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ପ୍ରଦେଶ କଂଗ୍ରେସ । ରାଜ୍ୟରେ ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କେଉଁ ଆଧାରରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ହାତରେ ଧରି ନିର୍ବାଚନୀ ପ୍ରଚାର କଲେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ବୋଲି ସିଇଓଙ୍କ ନିକଟରେ ଅଭିଯୋଗ କରିଛି କଂଗ୍ରେସ । ଏପରିକି ବିଜେପି ଧର୍ମୀୟ ରାଜନୀତି କରୁଛି ବୋଲି କହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ ।
ଏନେଇ ପ୍ରଦେଶ କଂଗ୍ରେସର ୬ ଜଣିଆ ପ୍ରତିନିଧି ଦଳ ସିଇଓଙ୍କ ନିକଟରେ ଫେରାଦ ହୋଇ ସମ୍ବିତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି । ପୂର୍ବରୁ ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ନିର୍ବାଚନରେ କୌଣସି ରାଜନୈତିକ ଦଳର ପ୍ରାର୍ଥୀ ଠାକୁରଙ୍କ ମୂର୍ତ୍ତି କିମ୍ବା ଫଟୋ ଧରି ପ୍ରଚାର କରିପାରିବେ ନାହିଁ ବୋଲି ପ୍ରତିବନ୍ଧ ଲଗାଇଛନ୍ତି । କିନ୍ତୁ ଏହାକୁ ଖୋଲାଖୋଲି ଉଲଂଘନ କରିଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ସେହିଭଳି ନିକଟରେ ଭୋପାଳରେ ମଧ୍ୟ ଏଭଳି ରାମଙ୍କ ଫୋଟୋ ଧରି ପ୍ରଚାର କରିଥିବାରୁ ସମ୍ବିତ ପାତ୍ରଙ୍କ ନାଁରେ ୱାରେଣ୍ଟ ଆସିଛି ତେଣୁ ତୁରନ୍ତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ ବୋଲି କହିଛନ୍ତି ମୁଖପାତ୍ର ନିଶିକାନ୍ତ ପାତ୍ର ।