କନକ ବ୍ୟୁରୋ : କଟକ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଗିରିବାଳା ବେହେରାଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୌର ନିର୍ବାଚନ ନେଇ ବସିଥିବା ବୈଠକରେ କଂଗ୍ରେସ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହାସହ କଟକ ପାଇଁ କର୍ପୋରେଟର ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କଲା କଂଗ୍ରେସ । ଏହାସହ ଖୁବଶୀଘ୍ର ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରାଯିବ ବୋଲି କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Advertisment

କଟକର ମେୟର ପ୍ରାର୍ଥୀ ଭାବେ କଂଗ୍ରେସ ବାଛିଥିବା ଗିରିବାଳା ବେହେରା ଏବେ ପିସିସି ମହିଳା କଂଗ୍ରେସର ଉପସଭାପତି ରହିଛନ୍ତି । ଏହାଛଡା ଗିରିବାଳା ନଗର କଂଗ୍ରେସର ମଧ୍ୟ ଜଣେ ଟାଣୁଆ କର୍ମୀ । ଖାସକରି ଗତ ସାଧାରଣ ନିର୍ବାଚନରେ ଗିରିବାଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା । ପୂର୍ବରୁ ଥରେ କର୍ପୋରେଟର ଜିତିଥିବା ଗିରିବାଳାଙ୍କ ସାଙ୍ଗଠନିକ ଦକ୍ଷତା ଥିବାରୁ ତାଙ୍କୁ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ କରାଯାଇଛି ।

ପୌର ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୪ ତାରିଖ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହିଭଳି ୨୪ ମାର୍ଚ୍ଚରେ ନିର୍ବାଚନ ହେବାକୁ ଥିବା ବେଳେ ୨୬ ମାର୍ଚ୍ଚରେ ଭୋଟ ଗଣତି ହେବ । ମୋଟ ୧୦୬ଟି ପୌରାଞ୍ଚଳ ଏବଂ ୩ଟି ମହାନଗର ନିଗମ ପାଇଁ ପଡିବ ଭୋଟ ।