କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ପଦରୁ ସତ୍ୟ ନାୟକଙ୍କୁ ହଟାଇ ପଂଚାନନ କାନୁନଗୋଙ୍କୁ କରାଯିବା ନେଇ ଚିଠିରେ ଉଲ୍ଲେଖ । ସବୁ ପଦ ପଦବୀରୁ ସତ୍ୟ ନାୟକ ଇସ୍ତଫା ଦେଇଥିବା ନେଇ ସୂଚନା

ପିସିସି ସଭାପତି କହିଲେ, ସତ ନୁହେଁ ଭାଇରାଲ ଚିଠି

348

କନକ ବ୍ୟୁରୋ: ଚିଠିକୁ ନେଇ କଂଗ୍ରେସରେ ଝଡ଼ । ଏହି ଚିଠିରେ ଦଳର ମିଡିଆ ସେଲ୍ ଅଧ୍ୟକ୍ଷ ପଦରେ ବରିଷ୍ଠ ନେତା ପଂଚାନନ କାନୁନଗୋଙ୍କ ନାଁ ଲେଖାଯାଇଛି । କିନ୍ତୁ ଦଳର ମିଡିଆ ସେଲ୍ ଅଧ୍ୟକ୍ଷ ଥିଲେ ସତ୍ୟପ୍ରକାଶ ନାୟକ । ତାଙ୍କୁ ହଟା ଯାଇ ପଂଚାନନ କାନୁନଗୋଙ୍କୁ ମିଡିଆ ସେଲର ଅଧ୍ୟକ୍ଷ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି । ଏବଂ ନୂଆ ତାଲିକାରେ ସତ୍ୟ ପ୍ରକାଶ ନାୟକଙ୍କୁ ରିସୋର୍ସ ପର୍ସନ ଭାବେ ରଖାଯାଇଛି । ଏହି ଚିଠିଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରିକି ଏହି ଘଟଣା ପରେ ସବୁ ପଦ ପଦବୀରୁ ସତ୍ୟ ନାୟକ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ଭାଇରାଲ ହୋଇଥିବା ଚିଠି ସତ ନୁହେଁ ।

ତେବେ କଂଗ୍ରେସ ଭବନକୁ କେଉଁଠୁ ଆସିଥିଲେ ବାଉଁସର । ଏହାକୁ ନେଇ ତେଜିଲା ବିବାଦ । କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଲେ ଏହା ସୃଷ୍ଟି କରୁଛି ଖରାପ ପରମ୍ପରା । ଜନସାଧାରଣଙ୍କ ନିକଟକୁ ଯାଉଛି ଭୁଲ ସୂଚନା । ଏନେଇ ପିସିସି ସଭାପତିଙ୍କ ସହ ଆଲୋଚନା କରିବେ । ଅନ୍ୟପଟେ ବିଧାୟକ ସୁର ରାଉତରାୟ କହିଛନ୍ତି ବାଉଁସର କେଉଁଠୁ ଆସିଥିଲେ ଜଣା ନାହିଁ । କିନ୍ତୁ କୌଣସି ଦଳୀୟ ଲୋକ ସେମାନଙ୍କୁ ଡାକି ନଥିଲେ । ଏହା ଦଳକୁ ବଦନାମ କରିବା ପାଇଁ ଯୋଜନା ।

ଗତ ୧୭ ତାରିଖରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ବୈଠକ ଚାଲିଥିବାବେଳେ କିଛି ନେତା କର୍ମୀ ବାହାରେ ଧାରଣା ଦେଇଥିଲେ । ଏପରିକି ପିସିସି ସଭାପତିଙ୍କୁ ପରିବର୍ତନ ପାଇଁ ଦାବି କରିଥିଲେ । ଏହି ସମୟରେ କଂଗ୍ରେସ ଭବନରେ କିଛି ବାଉଁସରଙ୍କୁ ଦେଖିବାକୁ ମିଳିଥିଲା । ଏମାନେ ଧାରଣା ଦେଉଥିବା କର୍ମୀଙ୍କୁ କାର୍ଯ୍ୟାଳୟରୁ ତଡି ଦେଇଥିଲେ ।