ମୋଦୀ ସରକାର ଜାରି କଲେ ଶ୍ୱେତପତ୍ର । ମୋଦୀ ସରକାରକୁ ଅନ୍ୟାୟର କାଳ କହି ସମାଲୋଚନା କଲା କଂଗ୍ରେସ । ମାଗିଲା ଚାକିରି ହିସାବ ।

95

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଛନ୍ତି ତାଙ୍କ ସରକାରର ଶ୍ୱେତପତ୍ର । ୟୁପିଏ ସରକାର ସମୟରେ ଦେଶର ଆର୍ଥିକ ସ୍ଥିତି ଏବଂ ଏବେର ଆର୍ଥିକ ସ୍ଥିତି ବାବଦରେ ସୀତାରମଣ ସଫେଇ ରଖିଛନ୍ତି । ୟୁପିଏ ସରକାର ବେଳେ ଅର୍ଥନୈତିକ ଅବ୍ୟବସ୍ଥା ଓ ଆର୍ôଥକ ଶୃଙ୍ଖଳା ହୀନତା ଥିଲା ଏବଂ ବ୍ୟାପକ ଦୁର୍ନୀତି ହୋଇଥିଲା । ଏହା ଏକ ସଙ୍କଟଜନକ ପରିସ୍ଥିତି ଥିଲା । ବର୍ତ୍ତମାନ ଆମେ ଅର୍ଥନୀତିକୁ ସ୍ଥିର କରିଛୁ ଏବଂ ଏହାକୁ ପୁନରୁଦ୍ଧାର ଏବଂ ଅଭିବୃଦ୍ଧି ପଥରେ ସ୍ଥାପିତ କରିଛୁ ବୋଲି ସୀତାରମଣ କହିଛନ୍ତି । ତେଣୁ ୟୁପିଏ ସରକାରଙ୍କ ଉତ୍ତରାଧିକାରୀ ଭାବରେ ଛାଡି ଯାଇଥିବା ଅସମ୍ଭବ ଆହ୍ୱାନଗୁଡ଼ିକୁ ସାର୍ବଜନୀନ କରିବା ଜରୁରୀ ବୋଲି ସେ କହିଛନ୍ତି ।

୨୦୧୪ରେ ମୋଦୀ କ୍ଷମତାକୁ ଆସିବା ବେଳେ ଦେଶର ଆର୍ଥିକ ସ୍ଥିତି ଖରାପ ନୁହଁ ବରଂ ସଙ୍କଟରେ ଥିଲା ବୋଲି ସୀତାରମଣ କହିଛନ୍ତି । ସେହିପରି ସେତେବେଳେ ୫ ଆର୍ଥିକ ଦୁର୍ବଳ ଦେଶ ମଧ୍ୟରେ ଥିଲା ଭାରତ । ଏବେ ଦୁନିଆର ୫ ଶୀର୍ଷ ଅର୍ଥବ୍ୟବସ୍ଥାରେ ଥିବା ଦେଶ ବୋଲି ସେ କହିଛନ୍ତି । ୟୁପିଏ ସରକାର ବେଳେ ଦେଖାଦେଇଥିବା ଦୂରାବସ୍ଥା ଏହି ବର୍ଷଗୁଡ଼ିକରେ ସୁଧାର କରାଯାଇ ସମସ୍ୟା ଦୂର ହୋଇଛି । ବିଗତ ବର୍ଷର ସନ୍ଦେହ ଓ ଅସ୍ଥିରତାକୁ ଆତ୍ମବିଶ୍ୱାସରେ ବଦଳାଇ ଦିଆଯାଇଛି ବୋଲି ସୀତାରମଣ କହିଛନ୍ତି ।

ଅନ୍ୟପଟେ ମୋଦୀ ସରକାରଙ୍କ ଶ୍ୱେତପତ୍ର କଟାକ୍ଷ କରିଛି ବିରୋଧୀ କଂଗେସ । କଂଗ୍ରେସ କହିଛି, ମୋଦୀ ସରକାର ସବୁଠୁ ଅନ୍ୟାୟର ସମୟ । ଏଥିରେ ଦେଶର କ’ଣ ଲାଭ ହୋଇଛି ଏବଂ ଦେଶର କେତେ ଯୁବକ ଯୁବତୀଙ୍କୁ ଚାକିରି ମିଳିଛି ବୋଲି ହିସାବ ମାଗିଛି କଂଗ୍ରେସ ।