କଂଗ୍ରେସରେ ନିରଞ୍ଜନ ହଟାଅ ଅଭିଯାନ ! ପୁଣି ବଢ଼ିଲା କନ୍ଦଳ, ବିରୋଧୀ ଗୋଷ୍ଠୀଙ୍କ ରୁଦ୍ଧଦ୍ୱାର ବୈଠକ, ନୂଆ ସଭାପତି ପାଇଁ ଯିବେ ଦିଲ୍ଲୀ ।

298

କନକ ବ୍ୟୁରୋ : କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ନେଇ ପୁଣି ଦାବି ଜୋରଧରିଛି । ଆଜି ପୁଣି ଏକ ଗୋଷ୍ଠୀ ମେଳି ବାନ୍ଧି ଚିନ୍ତନ ବୈଠକ କରିଛନ୍ତି । ଯେଉଁଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ଜଣେ ଯୁବ ନେତାଙ୍କୁ ରାଜ୍ୟ କଂଗ୍ରେସର ନେତୃତ୍ୱ ଦେବାକୁ ସ୍ଥିର କରାଯାଇଛି । ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ସପକ୍ଷରେ ଏହି ଗୋଷ୍ଠୀ ଯୁକ୍ତି ବାଢୁଥିବା ବେଳେ ଖୁବଶୀଘ୍ର ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ଦାବି ଜଣାଯିବ । ଗୋଟିଏ ପଟେ ନିରଂଜନ ହଟାଅ ଅଭିଯାନ ଜୋର୍ ଧରିଥିବା ବେଳେ ପିସିସି ସଭାପତି କହିଛନ୍ତି, ଯେଉଁ ଦଳରେ ଶୃଙ୍ଖଳା ନାହିଁ, ସେହି ଦଳ ଆଗକୁ ବଢିପାରିବ ନାହିଁ ।

କଂଗ୍ରେସରେ ନିରଞ୍ଜନ ହଟାଅ ଅଭିଯାନ । ଚିନ୍ତନ ବୈଠକରେ ପିସିସି ଚିନ୍ତା । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ହଟାଇ ଜଣେ ଯୁବ ନେତାଙ୍କୁ ରାଜ୍ୟ କଂଗ୍ରେସର ମଙ୍ଗ ଦେବା ପାଇଁ ଜୋର୍ ଧରିଛି ଉଦ୍ୟମ । ଜିଲ୍ଲାର ବରିଷ୍ଠ ନେତା, ଯୁବନେତା ଏବଂ ଜୋନ ସଭାପତି ମେଳି ବାନ୍ଧି, ପିସିସି ପରିବର୍ତ୍ତନର ନକ୍ସା ପ୍ରସୁତ କରିଛନ୍ତି ସେମାନଙ୍କ ଦାବି, ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ବାରବାଟୀ କଟକ ବିଧାୟକ ତଥା ଯୁବ ନେତା ମହମ୍ମଦ ମୋକିମଙ୍କୁ ଦିଆଯାଉ ପିସିସି ଦାୟିତ୍ୱ ।

ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିବେ ରାଜ୍ୟ ନେତା । ପିସିସି ସଭାପତି ପରିବର୍ତ୍ତନ ନେଇ ରଖିବେ ଦାବି । ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ଚୟନ କରାଯାଇଥିବା ପିସିସି ସଭାପତିଙ୍କ ନାଁ କିଭଳି ହାଇକମାଣ୍ଡଙ୍କ ନିକଟରେ ପହଁଚିବ ସେନେଇ ଆଲୋଚନା ସରିଛି । କେଉଁମାନେ ଦିଲ୍ଲୀ ଯିବେ ଏବଂ କଣ କଣ ପ୍ରସ୍ତାବ ରହିବ ତାହା ମଧ୍ୟ ଚୂଡାନ୍ତ ହୋଇସାରିଛି । ଏନେଇ ଏକ ଡ୍ରାଫ୍ଟ ରିଜୋଲ୍ୟୁସନ ପ୍ରସ୍ତୁତ କରାଯିବ ଏବଂ ନଭେମ୍ବର ୧୦ ସୁଦ୍ଧା ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିବେ ନେତା ।

ସେପଟେ ପୁରା ଘଟଣାକୁ ଦଳର ଆଭ୍ୟନ୍ତରୀଣ ବ୍ୟାପାର କହି ଏଡାଇ ଯାଇଛନ୍ତି ପିସିସି ସଭାପତି । ତେବେ ସଫା ସଫା କହିଛନ୍ତି, ଯେଉଁ ଦଳରେ ଶୃଙ୍ଖଳା ନାହିଁ ସେହି ଦଳ ଆଗକୁ ବଢିପାରିବ ନାହିଁ । ସାଧାରଣ ନିର୍ବାଚନରେ କଂଗ୍ରେସ ମାତ୍ର ୯ଟି ଆସନ ପାଇଥିଲା । ଏହାପରେ ପାଟକୁରା ଏବଂ ବିଜେପୁର ଉପନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ଦଳକୁ ଚିନ୍ତାରେ ପକାଇଦେଇଛି । ଏଭଳି ସ୍ଥିତିରେ ରାଜ୍ୟ କଂଗ୍ରେସରେ ଜୋର୍ ଧରିଛି ନେତୃତ୍ୱ ପରିବର୍ତ୍ତନ ଦାବି ।