କଂଗ୍ରେସ ଚିନ୍ତନ ଶିବିରରେ ପ୍ରସ୍ତାବ, ନିର୍ବାଚନ ସମୟରେ ଧାର୍ମିକ ସ୍ଥଳୀ ଯିବେ ନାହିଁ କଂଗ୍ରେସ ନେତା

104

କନକ ବ୍ୟୁରୋ : ରାଜସ୍ଥାନର ଉଦୟପୁର ଠାରେ କଂଗ୍ରେସର ଚିନ୍ତନ ଶିବିର ଜାରି ରହିଛି । ଏହି ଶିବିରରେ ଦଳର ସମସ୍ତ ବଡ ବଡ ନେତାମାନେ ଯୋଗ ଦେଇଛନ୍ତି । ଆଜି ଏହି ଶିବିରରେ ଏକ ଅଜବ ପ୍ରସ୍ତାବ ରଖାଯାଇଛି । ପ୍ରସ୍ତାବ ମୁତାବକ ନିର୍ବାଚନ ବେଳେ ଦଳର କୌଣସି ନେତା କୌଣସି ଧର୍ମର ଧାର୍ମିକ ସ୍ଥଳୀକୁ ଯିବେ ନାହିଁ । ଏନେଇ କିଛି ନେତା କହିଛନ୍ତି କି ନିର୍ବାଚନ ବେଳେ ଧର୍ମସ୍ଥଳୀକୁ ଯିବାରୁ ଭୋଟରମାନେ ଦ୍ୱନ୍ଦରେ ପଡୁଛନ୍ତି ।

କେବଳ ସେତିକି ନୁହେଁ ଚିନ୍ତନ ଶିବିରରେ କୁହାଯାଇଛି କି, କଂଗ୍ରେସ ବିଜେପି ବିରୋଧରେ ଏକ ମଜବୁତ୍ ଧର୍ମନିରପେକ୍ଷତା ଷ୍ଟାଣ୍ଡ ନେବାର ଆବଶ୍ୟକତା ରହିଛି । କହିରଖୁ କି ବିଜେପି ଯେଭଳି ଭାବେ ଧର୍ମକୁ ନେଇ ରାଜନୀତି କରୁଛି ତାହାକୁ ଦେଖି ପୂର୍ବ ନିର୍ବାଚନଗୁଡିକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଭିନ୍ନ ଧର୍ମର ଧର୍ମସ୍ଥଳୀକୁ ଯିବାର ଦେଖିବାକୁ ମିଳିଥିଲା । ସେତେବେଳେ ରାଜନୈତିକ ବିଶ୍ଳେଷକମାନେ ଏହାକୁ କଂଗ୍ରେସର ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହୁଥିଲେ ବି ନିର୍ବାଚନ ଫଳାଫଳ ପରେ ଏହା ଏକ ଭୁଲ ରଣନୀତି ବୋଲି ସାବ୍ୟସ୍ତ ହୋଇଥିଲା ।

ଏହା ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଚିନ୍ତନ ଶିବିରର ଦ୍ୱିତୀୟ ଦିନରେ ପାର୍ଟିର ମହାସଚିବ, ରାଜ୍ୟ ପ୍ରଭାରୀ, ରାଜ୍ୟ ଅଧ୍ୟକ୍ଷ, ବିଧାୟକ ଦଳର ନେତା ଓ ଅନ୍ୟ କିଛି ବରିଷ୍ଠ ନେତାଙ୍କ ସହ ଅଲଗା ଅଲଗା ବୈଠକ କରିଥିଲେ । ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ଦଳକୁ କିଭଳି ମଜବୁତ କରାଯାଇ ପାରିବ ତାହା ଉପରେ ବିଶ୍ଳେଷଣ କରାଯାଇଛି ବୋଲି ସୂଚନା ମିଳିଛି । କହିରଖୁ କି କଂଗ୍ରେସର ଏହି ଚିନ୍ତନ ଶିବିରରେ ଶୁକ୍ରବାର ଦିନ ସୋନିଆ ଗାନ୍ଧୀ ଦଳର ପଞ୍ଚାୟତ ସ୍ତରରୁ ସଂସଦ ପର୍ଯ୍ୟନ୍ତ ସବୁ ପଦ ପଦବୀରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରଖିଥିଲେ ।