ବିଜେଡି ରଥ ପ୍ରସ୍ତୁତ କରି ରଖିଛି, ବିଜେପି ବାଣ ଫୁଟାଇବାକୁ ଅନାଇ ବସିଛି । କଂଗ୍ରେସ ଦଳ ଲୋକଙ୍କ ସହ ଅଛି ବୋଲି କହିଲେ ବିଶ୍ୱକେଶନ ।

141

କନକ ବ୍ୟୁରୋ : ଆସୁଛି ପିପିଲି ଫଳାଫଳ । ପୋଷ୍ଟାଲ ବାଲାଟ ଗଣତି ପରେ ଖୋଲିଛି ଇଭିଏମ । ମୋଟ ୨୪ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ କିଏ ଜିିତିବ ପିପିଲି ବାଜି ତାହା ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ବିଶ୍ୱକେଶନ ହରିଚନ୍ଦନ ବେଶ ଆଶାବାଦୀ ରହିଛନ୍ତି ।  ଦଳର ବିଜୟକୁ ନେଇ ବିଶ୍ୱକେଶନ ଆଶଙ୍କାରେ ଥିଲେ ମଧ୍ୟ ପୂର୍ବ ନିର୍ବାଚନ ଅପେକ୍ଷା ଦଳର ଭୋଟ ହାର ବଢିବ ବୋଲି କହିଛନ୍ତି । ଏପରିକି ଦଳ ପୂର୍ବ ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ଦମ୍ଭ ଦେଖାଇଛନ୍ତି ।

ପିପିଲି ବାସୀ ଉଭୟ ବିଜେପି ଓ ବିଜେଡି ସପକ୍ଷରେ ପୂର୍ବ ଭଳି ଭୋଟ ଦେଇନଥିବେ ବୋଲି କହିଛନ୍ତି ବିଶ୍ୱକେଶନ । ସେ କହିଛନ୍ତି, ଦର ବୃଦ୍ଧି ଓ ବେକାରୀ ପ୍ରସଙ୍ଗକୁ ନେଇ ଭୋଟର ବିଜେପି ଠାରୁ ମୁହଁ ଫେରାଇବେ ନିଶ୍ଚୟ । ସେହିଭଳି ୨୧ ବର୍ଷ ଶାସନରେ ରହି ମଧ୍ୟ ପିପିଲିର ବିକାଶ ସେଭଳି ହୋଇନାହିଁ । ତେଣୁ ଏହାର ଜବାବ ପିପିଲିବାସୀ ଭୋଟରେ ଦେବେ । ତେବେ ଫଳାଫଳ ଆସିବା ପୂର୍ବରୁ ବିଜେଡି ଓ ବିଜେପି ଶିବିର ଉତ୍ସାହିତ ଅଛନ୍ତି । ବିଜୟ ପୂର୍ବରୁ ବିଜେଡି ରଥ ପ୍ରସ୍ତୁତ କରି ରଖିଥିବା ବେଳେ ବିଜେପି ବାଜା, ବାଣ ଫୁଟାଇବାକୁ ଚାହିଁ ବସିଛି ବୋଲି କହିଛନ୍ତି ବିଶ୍ୱକେଶନ । ତେବେ କଂଗ୍ରେସ ଲୋକଙ୍କ ମତ କଣ ରହିଛି ତାହା ଉପରେ ବିଶ୍ୱାସ କରୁଛି, ଲୋକଙ୍କ ସହ ରହିଛି । ତେଣୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଶ୍ୱକେଶନ ।