ତାଲିକା ଗଲା, ଘୋଷଣାକୁ ଅପେକ୍ଷା! ସିଇସି କମିଟିକୁ ଗଲା କାହାର ନାଁ, ଦେଖନ୍ତୁ କଂଗ୍ରେସର ଲୋକସଭା ପ୍ରାର୍ଥୀଙ୍କ ପୂରା ତାଲିକା?

939

କନକ ବ୍ୟୁରୋ : ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ । ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ କଂଗ୍ରେସ ପକ୍ଷରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଏକରକମ ସ୍ଥିର ହୋଇସାରିଛି । କେବଳ ଯାହା ଘୋଷଣାକୁ ଅପେକ୍ଷା । ଆଜି କଂଗ୍ରେସର ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀ ତାଲିକା ସିଇସି କମିଟିକୁ ପଠାଯାଇଥିବା ବେଳେ ଆସନ୍ତା ସପ୍ତାହକ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ତେବେ ଏହା ପୂର୍ବରୁ ସିଇସି କମିଟିକୁ ଯାଇଥିବା କଂଗ୍ରେସର ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିଛି ।

ସିଇସି କମିଟିକୁ ପଠାଯାଇଥିବା ପ୍ରାର୍ଥୀ ତାଲିକା ମଧ୍ୟରେ ନବରଙ୍ଗପୁରରୁ ପ୍ରଦୀପ ମାଝୀଙ୍କ ସମେତ ଚନ୍ଦ୍ରଶେଖର ମାଝୀ, କଳାହାଣ୍ଡିରୁ ଭକ୍ତ ଦାସଙ୍କ ସହ ଜଗନ୍ନାଥ ପଟ୍ଟନାୟକଙ୍କ ନାଁ ରହିଛି । ସେହିଭଳି ବଲାଙ୍ଗୀରରୁ ଲକ୍ଷ୍ମଣ ମେହେରଙ୍କ ସମେତ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର, ସୁନ୍ଦରଗଡରୁ ନୂଆ ନୂଆ ଦଳରେ ଯୋଗ ଦେଇଥିବା ଜର୍ଜ ତୀର୍କି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ନାଁ ସାମ୍ନାକୁ ଆସୁଛି ।
ସେହିଭଳି କୋରାପୁଟ ଆସନ ପାଇଁ ସପ୍ତଗିରି ଉଲ୍ଲାକା, ମେରି ସୁରିନ, ପୁରସ୍ତମ ଗମାଙ୍ଗଙ୍କ ନାଁ ରହିଥିବା ବେଳେ କନ୍ଧମାଳରେ ମନୋଜ ଆଚାର୍ଯ୍ୟଙ୍କ ସହ ଅନ୍ୟ ଦୁଇ ଆଶାୟୀଙ୍କ ନାଁ ସିଇସି କମିଟିକୁ ପଠାଯାଇଛି । ପୁରୀରୁ ଅମୀୟ ପଟ୍ଟନାୟକଙ୍କ ସହ ୪ ଜଣ, ବରଗଡରୁ ହମିଦ ହୁସେନଙ୍କ ସହ ୨ ଜଣ, ଜଗତସିଂହପୁରରୁ ବିଭୁ ତରାଇଙ୍କ ସହ ୨ ଜଣଙ୍କ ନାଁ ରହିଛି । ଅନ୍ୟପଟେ ଯାଜପୁର ଆସନ ପାଇଁ ମାନସ ଜେନାଙ୍କ ସହ ଅନ୍ୟ ଆଶାୟୀଙ୍କ ନାଁ ରହିଥିବା ବେଳେ ବାଲେଶ୍ୱରରୁ ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ସହ ଆଉ କିଛି ନେତାଙ୍କ ନାଁ ସିଇସି କମିଟିକୁ ପଠାଯାଇଥିବା ତାଲିକାରେ ଯୋଡି ହୋଇଛି ।

ଅନ୍ୟପଟେ ଚର୍ଚ୍ଚିତ ଆସନ କେନ୍ଦ୍ରାପଡାରୁ ଗତଥର ପ୍ରାର୍ଥୀ ହୋଇଥିବା ଧରଣୀଧର ନାୟକଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ନାଁ ରହିଥିବା ବେଳେ ଭଦ୍ରକରୁ ଅନନ୍ତ ସେଠୀଙ୍କ ସମେତ ଅନ୍ୟ ୨ ଆଶାୟୀଙ୍କ ନାଁ ରହିଛି । ତେବେ ବ୍ରହ୍ମପୁର, ଆସ୍କା ଓ ଭୁବନେଶ୍ୱର ଆସନ ପାଇଁ ସିଇସି କମିଟିକୁ କୌଣସି ନାଁ ପଠାଯାଇନାହିଁ । କାରଣ ଏହି ଆସନ ଗୁଡିକରେ କଂଗ୍ରେସ ସହ ବାମଦଳ ଗୁଡିକର ବୁଝାମଣା ହୋଇଥିବାରୁ ଏହି ଆସନରେ ପ୍ରାର୍ଥୀ ଦେବନାହିଁ ଦଳ । ଆଗାମୀ ୧୧ ତାରିଖରେ ସିଇସି ବୈଠକ ପରେ ଆସନ୍ତା ୧୫ କିମ୍ବା ୧୬ ତାରିଖରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ସ୍କ୍ରିନିଂ କମିଟି ଓ ଏଆଇସିସି ରିପୋର୍ଟ ଆଧାରରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ।