ଦିଲ୍ଲୀ ଦଖଲ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଶିଲାଙ୍କୁ ଦିଲ୍ଲୀ ଉତ୍ତର-ପୂର୍ବ ସଂସଦୀୟ କ୍ଷେତ୍ରର ସିପାହୀ କଲେ କଂଗ୍ରେସ ହାଇକମାଣ୍ଡ ।

109

କନକ ବ୍ୟୁରୋ: ଦିଲ୍ଲୀ ଦଖଲ ପାଇଁ ସିପାହୀ ବାଛିଲା କଂଗ୍ରେସ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କୁ ଉତ୍ତର-ପୂର୍ବ ଲୋକସଭା କ୍ଷେତ୍ର ପାଇଁ ବାଛିଲା କଂଗ୍ରେସ । ଏନେଇ କଂଗ୍ରେସ ତରଫରୁ ୬ ଜଣିଆ ପ୍ରାର୍ଥୀ ତାଲିକାରେ ଶିଲାଙ୍କ ନାଁ ପ୍ରକାଶ କରିଛି କଂଗ୍ରେସ ସିଇସି କମିଟି । ସେହିଭଳି ଶିଲାଙ୍କ ବ୍ୟତୀତ ଏହି ତାଲିକାରେ ଉତ୍ତର ଦିଲ୍ଲୀ କ୍ଷେତ୍ର ପାଇଁ ପାଇଁ ଅରବିନ୍ଦ ସିଂହ ଲଭଲୀ, ନୂଆ ଦିଲ୍ଲୀ ପାଇଁ ଅଜୟ ମାକେନଙ୍କୁ କଂଗ୍ରେସ ତରଫରୁ ଟିକେଟ୍ ମିଳିଛି ।


ସେହିଭଳି ଉତ୍ତର-ପଶ୍ଚିମ ସଂରକ୍ଷିତ ଦିଲ୍ଲୀ ଲୋକସଭା ଆସନରୁ ରାଜେଶ ଲିଲୋତିଆଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ସେପଟେ ପଶ୍ଚିମ ଦିଲ୍ଲୀ ପାଇଁ ମହାବଳ ମିଶ୍ରଙ୍କୁ ଟିକେଟ୍ ମିଳିଥିବାବେଳେ ଦକ୍ଷିଣ ଦିଲ୍ଲୀରୁ ଦଳ ପ୍ରାର୍ଥୀ ଘୋଷଣା କରି ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କି, ପୂର୍ବରୁ କଂଗ୍ରେସ ଆମ୍ ଆଦମୀ ପାର୍ଟି ସହ ମେଣ୍ଟ କରିବ ବୋଲି ଜୋରଦାର ଚର୍ଚ୍ଚା ହେଉଥିବାବେଳେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପରେ ଏଥିରେ ପୂର୍ଣ୍ଣଛେଦ ପଡ଼ିଯାଇଛି ।

ଅନ୍ୟପଟେ ଏଥର ଦିଲ୍ଲୀ ଆସନକୁ ଫେରି ପାଇବା ପାଇଁ ପୁଣିଥରେ କମର କଷିଛି କଂଗ୍ରେସ । ଆଉ ପୁଣି ପୁରୁଣା ସିପାହୀ ଶିଲା ଦୀକ୍ଷିତଙ୍କୁ ଉତ୍ତର-ପୂର୍ବ ଦିଲ୍ଲୀ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ । ଦେଖିବାର କଥା ଯେ, ଦିଲ୍ଲୀ ଦରବାରକୁ ପୁର୍ନବାର ଦଖଲ କରିବାରେ ସଫଳ ହେଇପାରିବେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପୁରୁଣା ସିପାହୀ ଶିଲା ଦୀକ୍ଷିତ ।