ପିପିଲିରେ ଉଠିପାରୁନି ‘ହାତ’ । ବିଜେଡି-ବିଜେପି ଟକ୍କର ଭିତରେ ପଛରେ ପଡିଲା କଂଗ୍ରେସ।

112

କନକ ବ୍ୟୁରୋ: ଆଜି ପିପିଲି ପାଇବ ନିଜର ନୂଆ ବିଧାୟକ । ଚାଲିଛି ପିପିଲି ଉପ ନିର୍ବାଚନ ଭୋଟ୍ ଗଣତି । ହେଲେ ଏହି ଭୋଟ୍ ଗଣତିରେ ପଛରେ ପଡିଯାଇଛି ଦେଶର ସର୍ବ ପୂରାତନ ରାଜନୈତକ ଦଳ କଂଗ୍ରେସ । ଭୋଟ୍ ଗଣତିର ଏହି ରେସରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ବହୁ ପଛରେ ପଡିଯାଇଛନ୍ତି ।

ପିପିଲି ଉପ-ନିର୍ବାଚନ ଭୋଟ୍ ଗଣତିରେ ଆଜି ବିଜେଡି-ବିଜେପି ଭିତରେ କଡା ଟକ୍କର ଦେଖିବାକୁ ମିଳୁଛି । ହେଲେ ଲୋକମାନେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରତି ସେତେଟା ସମର୍ଥନ ଦେଉଥିବା ଦେଖିବାକୁ ମିଳିନି । ବିଶ୍ୱକେଶନ ହରିଚନ୍ଦନ ୫ମ ରାଉଣ୍ଡ ସୁଦ୍ଧା କେବଳ ୧୫୪୫ ଭୋଟ୍ ପାଇଥିବା ସୂଚନା ମିଳିଛି । ତେବେ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଏହି ଉପ ନିର୍ବାଚନ ହୋଇଛି । ଯେଉଁଥିରେ ବିଜେଡି ନିଜର ପକେଟ୍ ଭୋଟ୍ ସହିତ ଅନୁକମ୍ପା ଭୋଟ୍ ମଧ୍ୟ ହାତେଇଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ବିଜେପି ମଧ୍ୟ ଆଶ୍ରିତଙ୍କୁ ସେନାପତି କରି ବର୍ତ୍ତମାନ ସୁଦ୍ଧା କଡା ଟକ୍କର ଦେଉଛି । ହେଲେ କଂଗ୍ରେସର ହାତ କିନ୍ତୁ ପଡିଛି ଖାଲି ।

ସୂଚନାଯୋଗ୍ୟ ଯେ, ପିପିଲି ଉପ-ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିଲା । ହେଲେ କରୋନାରେ ତାଙ୍କର ବିୟୋଗ ଘଟିବା ପରେ, ଦଳ ବିଶ୍ୱକେଶନଙ୍କୁ ନିଜର ଚେହେରା କରିଥିଲା । ହେଲେ ୨୦୧୯ ସାଧାରଣ ନିର୍ବାଚନରେ ଅଜିତଙ୍କ ପ୍ରଦର୍ଶନ ଯେଉଁଭଳି ଭାବେ ଦୁର୍ବଳ ଥିଲା, ୨୦୨୧ ଉପ ନିର୍ବାଚନରେ ମଧ୍ୟ ବିଶ୍ୱକେଶନଙ୍କ ପ୍ରଦର୍ଶନ ସେହିଭଳି ରହିଛି । ୨୦୧୯ରେ ପିିପିଲିରେ ପ୍ରଦୀପ, ଆଶ୍ରିତ ଓ ଅଜିତଙ୍କ ଭିତରେ ଫାଇଟ୍ ହୋଇଥିଲା । ଯେଉଁଥିରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କେବଳ ୫.୬୩ ପ୍ରତିଶତ ଭୋଟ୍ ପାଇଥିଲେ । ଚଳିତ ଥର ପ୍ରାର୍ଥୀ ବଦଳିଥିଲେ ମଧ୍ୟ କଂଗ୍ରେସର ଭୋଟ୍ ହାରରେ କୌଣସି ପରିବର୍ତ୍ତନ ହୋଇନି ।