ସୋମବାର ଭାରତ ବନ୍ଦ । ଜାଣନ୍ତୁ ରାସ୍ତାରେ କାହାକୁ ଅଟକାଇବେ ଓ କାହାକୁ ଛାଡିବେ କଂଗ୍ରେସ କର୍ମୀ

49

କନକ ବ୍ୟୁରୋ : ଆସନ୍ତା ୧୦ ତାରିଖ ଅଥାର୍ତ ସୋମବାର ଦିନ ଭାରତ ବନ୍ଦର ଡାକରା ଦେଇଛି କଂଗ୍ରେସ । ଓଡିଶା ସମେତ ପୂରା ଦେଶରେ ଭାରତ ବନ୍ଦର ଡାକରା ଦେଇଛି କଂଗ୍ରେସ । ଏଥିପାଇଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ବନ୍ଦ ସମୟରେ ଓଡିଶାର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ରୋଗରେ ପୀଡିତ ବ୍ୟକ୍ତି, ପରୀକ୍ଷାର୍ଥୀ ଯେପରି ହଇରାଣ ନ ହୁଅନ୍ତି ସେଥିପାଇଁ ପ୍ରଦେଶ କଂଗ୍ରେସ ନେଇଛି ବଡ ପଦକ୍ଷେପ । ଖାସକରି ସ୍କୁଲ ଓ କଲେଜ ବସ ଗୁଡିକୁ ଅଟକାଯିବ ନାହିଁ ବୋଲି ସ୍ପଷ୍ଟ କରିଛି କଂଗ୍ରେସ । ଏହାଛଡା ଆମ୍ବୁଲାନ୍ସ ଗାଡି, କ୍ଷୀର ଗାଡିକୁ ରାସ୍ତା ମଝିରେ ଅଟକାଯିବ ନାହିଁ । ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କୁ ମଧ୍ୟ ଭାରତ ବନ୍ଦ ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏହାଛଡା ମେଡିସିନ ଷ୍ଟୋରକୁ କଂଗ୍ରେସ କର୍ମୀ ବନ୍ଦ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ତେବେ ଏସବୁକୁ ଛାଡି ସମସ୍ତ କାର୍ଯ୍ୟାଳୟ ସାମ୍ନା, ରାଜରାସ୍ତାରେ କଂଗ୍ରେସ କର୍ମୀ ମାନେ ପିକେଟିଂ କରିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି । ଏହାଦ୍ୱାରା ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଯାହା ସାଧାରଣ ଜୀବନଯାପନକୁ ପ୍ରଭାବିତ କରିବ । ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପୂରା ଦେଶରେ ଏହି ବନ୍ଦ ଡାକରା ଦେଇଛି । ଯାହାକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର ।