ତୈଳ ଦର ବୃଦ୍ଧି ପ୍ରତିବାଦରେ ‘ଭାରତ’ ବନ୍ଦ । ୧୭ଟି ରାଜନୈତିକ ଦଳର ସମର୍ଥନ । ଛୁଟି ରହିବ ସ୍କୁଲ, ଆବଶ୍ୟକୀୟ ସେବାକୁ ବାଦ୍

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଥିଲା ବେଳେ ଏହା ଏବେ ଓଡ଼ିଶା ସମେତ ସାରା ଦେଶରେ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି। ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ‘ଭାରତ ବନ୍ଦ’ ଡାକରା ଦେଇଛି। ୧୭ଟି ରାଜନୈତିକ ଦଳ ଏହାକୁ ସମର୍ଥନ ଦେଇଛନ୍ତି। ଓଡ଼ିଶାରେ ବିଜେଡି ‘ବନ୍ଦ’କୁ ସିଧାସଳଖ ସମର୍ଥନ ଦେଇ ନ ଥିଲେ ମଧ୍ୟ ନିରବ ରହିଛି।

ଆଜି ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରିଦେଇଛନ୍ତି । ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦର ପ୍ରଭାବ ଅନୁଭୂତ ହେବ। ବିଶେଷ କରି ପିସିସି ନେତୃତ୍ୱ ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ବନ୍ଦ କରାଯାଉଥିବାରୁ ଏହାକୁ ସଫଳ କରିବା ପାଇଁ କଂଗ୍ରେସ ନେତାମାନେ ଲାଗି ପଡ଼ିଛନ୍ତି। ଗତକାଲି କଂଗ୍ରେସ ପକ୍ଷରୁ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ପ୍ରସ୍ତୁତି ବୈଠକ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା । ପିସିସି ପକ୍ଷରୁ ସବୁ ଜିଲ୍ଲାରେ ବନ୍ଦ ପାଳନର ପ୍ରସ୍ତୁତିକୁ ତଦାରଖ କରାଯାଇଛି। ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନରେ ଗତକାଲି ଉପସ୍ଥିତ ରହି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବିଧାନସଭା ଅଧିବେଶନ ଚାଲିଥିଲେ ବି କଂଗ୍ରେସ ସଭ୍ୟମାନେ ଗୃହକୁ ନ ଯାଇ ବିଭିନ୍ନ ସ୍ଥାନରେ ପିକେଟିଂରେ ସାମିଲ୍ ହେବେ।

ଅନ୍ୟ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଗତକାଲି ପ୍ରସ୍ତୁତି ବୈଠକ କରି ଆଜି ବନ୍ଦ ପାଳନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ବନ୍ଦ ବେଳେ ଆମ୍ବୁଲାନ୍ସ, ମେଡିସିନ୍ ଷ୍ଟୋର୍, କ୍ଷୀର ଗାଡ଼ିକୁ ନ ଅଟକାଇବାକୁ ଦଳ ପକ୍ଷରୁ ଆନ୍ଦୋଳନକାରୀମାନଙ୍କୁ କୁହାଯାଇଛି। ସେହିପରି ବନ୍ଦ ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ସରକାର ସ୍କୁଲ୍ଗୁଡ଼ିକ ବନ୍ଦ ନିର୍ଦ୍ଦେଶ ଦେଇସାରିଛନ୍ତି। ବସ୍, ଅଟୋ ଚଳାଚଳ ମଧ୍ୟ ବନ୍ଦ ରହୁଥିବାରୁ ଯାତ୍ରୀ ପରିବହନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ବନ୍ଦ ପାଳନକାରୀମାନେ ଟ୍ରେନ୍ ଲାଇନ୍ରେ ପିକେଟିଂ କରିବାକୁ ଯୋଜନା କରୁଥିବାରୁ ବିଭିନ୍ନ ସ୍ଥାନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇପାରେ। ସେହିପରି ପେଟ୍ରୋଲ ଟାଙ୍କିଗୁଡ଼ିକ କାଲି ବନ୍ଦ ରହିବ ବୋଲି ଜଣାପଡ଼ିଛି। ବିଭିନ୍ନ ତୈଳ କମ୍ପାନି କାର‌୍ୟ୍ୟାଳୟ ଓ କେନ୍ଦ୍ରୀୟ କାର‌୍ୟ୍ୟାଳୟରେ ସାମ୍ନାରେ ଅଧିକ ପିକେଟିଂ କରିବାକୁ ଯୋଜନା ରହିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ କହିଛନ୍ତି, ମୋଦୀ ସରକାର ସାଧାରଣ ଲୋକଙ୍କୁ ଲୁଟି ଚାଲିଛନ୍ତି, ବିଜେପି ମୁନାଫା କମାଇ ଚାଲିଛି। ମୋଦୀ ସରକାର ବିଦେଶୀ ରାଷ୍ଟ୍ରକୁ ଶସ୍ତାରେ ପେଟ୍ରୋଲ, ଡିଜେଲ ବିକ୍ରି କରୁଛନ୍ତି, ଏଠାରେ ଇନ୍ଧନ ନିଆଁରେ ଭାରତୀୟ ଜଳୁଛନ୍ତି। ନିର୍ବାଚନ ପୂର୍ବରୁ ବିଜେପିର ସ୍ଲୋଗାନ୍ ଏବେ ସାଧାରଣ ଲୋକଙ୍କ ପାଇଁ ନିଷ୍ଠୁର ପରିହାସ ପାଲଟିଛି। ଏବେ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ମୂଲ୍ୟ ଆକାଶ ଛୁଆଁ ହୋଇଛି ଏବଂ ସାଧାରଣ ଲୋକ, ମଧ୍ୟମ ବର୍ଗ, କୃଷକ, ପରିବହନକାରୀ ଓ କ୍ଷୁଦ୍ର ବ୍ୟବସାୟୀମାନେ ମାତ୍ରାଧିକ ବୋଝ ବହନ କରୁଛନ୍ତି। ଆନ୍ତର୍ଜାତିକ ବଜାରରେ ତୈଳଦର ହ୍ରାସର ଫାଇଦା ଦେଶର ସାଧାରଣ ଲୋକଙ୍କୁ ଦେବା ପରିବର୍ତ୍ତେ ବିଜେପି ସରକାର ତାହା ଉପରେ ଟିକସ ଲଗାଇଛନ୍ତି। ୨୦୧୪ ମେ’ ମାସ ଠାରୁ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୨୧୧.୭% ବୃଦ୍ଧି କରାଯାଇଛି। ତୈଳ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି। ଏହା ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ପିସିସି ସଭାପତି କହିଛନ୍ତି, ମୋଦୀଙ୍କ ଏହି ଟିକସ ଶୋଷଣ ମିସନ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଗିଦାରି ବି କିଛି କମ୍ ନୁହେଁ। ଉପର ଦେଖାଣିଆ ଭାବେ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି। ସେପଟେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨୪ ପ୍ରତିଶତ ଭାଟ୍ ଓ ସେଲ୍ଟ୍ୟାକ୍ସ ଆଦାୟ କରିଚାଲିଛନ୍ତି। ୨୦୧୪ରେ ରାଜ୍ୟ ଟିକସ ବାବଦରେ ପେଟ୍ରୋଲ ଓ ଡିଜେଲ୍ରୁ ଓଡ଼ିଶା ସରକାର ୨୮୬୫ କୋଟି ଟଙ୍କା ଆଦାୟ କରିଥିବା ବେଳେ ୨୦୧୮ରେ ଏହା ୬୯୦୦ କୋଟିରେ ପହଞ୍ଚିଛି। ନବୀନ ବାବୁ ତୁରନ୍ତ ରାଜ୍ୟ ଟିକସରେ ରିହାତି ଦିଅନ୍ତୁ। ଯଦି ବାସ୍ତବରେ ତୈଳ ଦର ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ବିରୋଧ କରୁଥା’ନ୍ତି, ତେବେ ଆଜି ବିଜେଡି ବିଧାନସଭା ଅଧିବେଶନକୁ ସକାଳ ୧୦ଟା ୩୦ରୁ ଅପରାହ୍ନ ୩ଟା ପର‌୍ୟ୍ୟନ୍ତ ବର୍ଜନ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe