ଲଖିମପୁର ହିଂସାକାଣ୍ଡ ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ କଂଗ୍ରେସର ମୌନ ବ୍ରତ, ଦେଶବ୍ୟାପି ପ୍ରତିବାଦ ।

83

କନକ ବ୍ୟୁରୋ : ସାରା ଦେଶରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରିଛି କଂଗ୍ରେସ । ଲଖିମପୁର ହିଂସାକାଣ୍ଡକୁ ନେଇ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରିଛିି କଂଗେସ । ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କାର୍ଯ୍ୟକର୍ତ୍ତା ସାଇଲେଂଟ ପ୍ରୋଟେଷ୍ଟ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମହାରାଷ୍ଟ୍ରରେ ମଧ୍ୟ ବନ୍ଦ ପାଳନର ଚିତ୍ର ସାମ୍ନାକୁ ଆସିଛି ।

ଉତ୍ତରପ୍ରଦେଶ ଲଖିମପୁର ହିଂସାକାଣ୍ଡକୁ ନେଇ କଂଗ୍ରେସ ପକ୍ଷରୁ ସାରା ଦେଶରେ କରାଯାଇଛି ସାଇଲେଣ୍ଟ ପ୍ରୋଟେଷ୍ଟ । କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର ଦାବିରେ କଂଗ୍ରେସ କରିଛି ମୌନ ବ୍ରତ ଧାରଣ । ଯାହାକୁ ନେଇ ଲକ୍ଷ୍ନୌରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ତଳେ ବସି ଧାରଣା ଦେଇଛନ୍ତି । ବିନା କିଛି ଶବ୍ଦରେ ପ୍ରିୟଙ୍କା ଗାନ୍ଧୀ ବିଭିନ୍ନ କଂଗ୍ରେସ ନେତାଙ୍କ ସହ ମିଶି ପ୍ରତିବାଦ କରିଛନ୍ତି । ସେହିପରି ରାଜସ୍ଥାନ ଜୟପୁରରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯାଇଛି । ରାଜଧାନୀ ଦିଲ୍ଲୀରେ ବି କଂଗ୍ରେସ ପକ୍ଷରୁ ସାଇଲେଂଟ୍ ପ୍ରୋଟେଷ୍ଟ କରାଯାଇଛି ।

ସେହିପରି ଗୋଆ ପାଣାଜୀରେ କଂଗ୍ରେସ ନେତା ପି. ଚିଦାମ୍ବରମ୍ ମଉନ ପ୍ରତିବାଦ କରିଛନ୍ତି । ଗୋଆ କଂଗ୍ରେସର ବିଭିନ୍ନ କର୍ମକର୍ତ୍ତାଙ୍କ ସହ ମିଶି କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସାଇଲେଂଟ ପ୍ରୋଟେଷ୍ଟ କରିଛନ୍ତି । ଅନ୍ୟପଟେ ମହାରାଷ୍ଟ୍ରରେ ମଧ୍ୟ ବନ୍ଦ ପାଳନ କରାଯାଇଛି । ଫଳରେ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଏନସିପି ନେତା ନୱାବ ମଲ୍ଲିକ ଆନ୍ଦୋଳନକୁ ଓହ୍ଲାଇ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଶୀଘ୍ର ବହିଷ୍କାର ଦାବି କରିଛନ୍ତି ।

ଲଖିମପୁରରେ କୃଷକଙ୍କ ଉପରେ ମନ୍ତ୍ରୀଙ୍କ ପୁଅ ଗାଡି ଚଢାଇଦେବା ଘଟଣାକୁ ନେଇ ଏବେ ସାରା ଦେଶରେ ଉତ୍ତେଜନା ଦେଖିବାକୁ ମିଳିଛି । ଗୋଟିଏ ପଟେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିବାବେଳେ, ଏବେ ଅଜୟ ମିଶ୍ରାଙ୍କୁ କେନ୍ଦ୍ରମନ୍ତ୍ରୀ ପଦବୀରୁ ବହିଷ୍କାର ପାଇଁ ଦାବି ଜୋର ଧରିଛି ।