କଂଗ୍ରେସକୁ ଘାରିଲା ପାଣ୍ଠି ଚିନ୍ତା । ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଚିଠି ଲେଖିଲେ ପିସିସି ସଭାପତି ।

185

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସକୁ ଘାରିଛି ନିର୍ବାଚନୀ ପାଣ୍ଠି ଚିନ୍ତା । ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ । ଚୂଡାନ୍ତ ହୋଇଥିବା ପ୍ରାର୍ଥୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନାଁରେ ୫୦ ହଜାର ଟଙ୍କା ଲେଖାଏଁର ଚେକ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହା ପ୍ରତିବଦଳରେ ଦଳ ପକ୍ଷରୁ ପ୍ରଚାରରେ ସମସ୍ତ ପ୍ରକାରର ସହଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ପ୍ରାର୍ଥୀଙ୍କୁ ଆବଶ୍ୟକ ହେଉଥିବା ପ୍ରଚାର ସାମଗ୍ରୀ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି ।

  • କଂଗ୍ରେସକୁ ଘାରିଛି ଦଳୀୟ ପାଣ୍ଠି ଚିନ୍ତା
  • ପ୍ରଚାର ପାଇଁ ପ୍ରାର୍ଥୀ ଦେବେ ୫୦ ହଜାର

ଦଳ ପକ୍ଷରୁ ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଚୁଡାନ୍ତ ହୋଇଥିବା ପ୍ରାର୍ଥୀଙ୍କୁ ଚିଠି ଲେଖିଥିବା ଦେଖିବାକୁ ମିଳିଛି । ଚୂଡାନ୍ତ ପ୍ରାର୍ଥୀଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟି ରଣନୀତି ନେଇ ଆଲୋଚନା କରିବାକୁ କୁହାଯାଇଛି । ଗୁରୁବାର ପୁରୀରେ କଂଗ୍ରେସର ପ୍ରାର୍ଥୀ ଚୟନ ଏବଂ ରଣନୀତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଏନେଇ ନିଷ୍ପତି ହୋଇଛି । ତେବେ ଜଣେ ପ୍ରାର୍ଥୀ ନିର୍ବାଚନରେ କେତେ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ, ସେନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୀମା ଧାର୍ଯ୍ୟ କରାଯାଇଛି ।

  • ଲୋକସଭା ନିର୍ବାଚନ ପାଇଁ ଜଣେ ପ୍ରାର୍ଥୀ ୯୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବେ
  • ବିଧାନସଭା ନିର୍ବାଚନ ବେଳେ ଜଣେ ପ୍ରାର୍ଥୀ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ପାଇଁ ଅନୁମତି ରହିଛି
  • କିଛି ଛୋଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଖର୍ଚ୍ଚ ସୀମାକୁ କମ୍ ରଖାଯାଇଛି
  • ଏସବୁ ଜାଗାରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ୭୫ ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିବେ
  • ବିଧାନସଭା ନିର୍ବାଚନ ପାଇଁ ୨୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ

ଏହି ଖର୍ଚ୍ଚ ସୀମାକୁ ପାଳନ କରାଯାଉଛି କି ନାହିଁ, ତା ଉପରେ ନିର୍ବାଚନ କମିଶନ ନଜର ରଖିଥାନ୍ତି । ଏହାର ଉଲଂଘନ ହେଲେ ପଦକ୍ଷେପ ନେବାର ପ୍ରାବଧାନ ମଧ୍ୟ ରହିଛି । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜନୈତିକ ଦଳଗୁଡ଼ିକ ସର୍ବାଧିକ କେତେ ଟଙ୍କା ଖର୍ଚ୍ଚ କରିପାରିବେ, ସେ ନେଇ କୌଣସି ସୀମା ନିର୍ଦ୍ଧାରଣ କରାଯାଇ ନାହିଁ ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ୨୫ ବର୍ଷ ହେଲା ରାଜ୍ୟରେ ଏବଂ ୧୦ ବର୍ଷ ହେଲା ଦେଶରେ ସରକାରରେ ନଥିବାରୁ ଦଳ ପାଖରେ ପାଣ୍ଠିର ଅଭାବ ରହିଛି । ସେପଟେ ଆୟକର ବିଭାଗ ବକେୟା ଟାକ୍ସକୁ ନେଇ ଦଳର ୧୨୫ କୋଟିରୁ ଅଧିକ ଟଙ୍କା ଫ୍ରିଜ୍ କରିଛି । ଯେଉଁଥିପାଇଁ ଦଳକୁ ନିର୍ବାଚନ ଲଢିବା ଲାଗି ପ୍ରାର୍ଥୀଙ୍କ ସହଯୋଗ ଲୋଡିବାକୁ ପଡିଛି ।