ପିସିସିର ହୋଇପାରେ ନବକଳେବର : ଦିଲ୍ଲୀରେ କଂଗ୍ରେସ ନେତାଙ୍କୁ ଭେଟିଲେ ନୂଆ ପ୍ରଭାରୀ ଜିତେନ୍ଦ୍ର ସିଂ

19

କନକ ବ୍ୟୁରୋ : ଖୁବଶୀଘ୍ର ହୋଇପାରେ ପିସିସି ସଭାପତି ପରିବର୍ତ୍ତନ । ଏନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ଅନୁସାରେ, ନବ ଦାସ, ଚିରଂଜୀବ ବିଶ୍ୱାଳ ଏବଂ ପ୍ରଦୀପ ମାଝିଙ୍କୁ କାର୍ଯ୍ୟକାରୀ ସଭାପତି ପଦ ମିଳିବା ସମ୍ଭାବନା ରହିଛି । ନବ ଦାସଙ୍କୁ ପଶ୍ଚିମ ଓଡିଶା, ଚିରଂଜୀବ ବିଶ୍ୱାଳଙ୍କୁ ଉପକୂଳ ଏବଂ ପ୍ରଦୀପ ମାଝିଙ୍କୁ ଦକ୍ଷିଣ ଓଡିଶା ଦାୟିତ୍ୱ ଦିଆଯିବା ସମ୍ଭାବନା ରହିଛି । ବୁଧବାର ଦିଲ୍ଲୀରେ ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରିଥିଲେ ନବ ଦାସ, ଚିରଂଜୀବ ବିଶ୍ୱାଳ ଏବଂ ପ୍ରଦୀପ ମାଝୀ । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଏହି ତିନି ଜଣ ନେତା ସାକ୍ଷାତ କରିବେ । ଆଜି କିମ୍ବା ଆସନ୍ତାକାଲି ରାଜ୍ୟ କଂଗ୍ରେସର ନବକଳେବର ନେଇ ଘୋଷଣା ହେବା ସମ୍ଭାବନା ରହିଛି । ଏହାରି ଭିତରେ ଡକରା ପାଇ ଦିଲ୍ଲୀ ଯାଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ।

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୫ ତାରିଖରେ ଓଡ଼ିଶାର ବଛାବଛା ୩୬ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡକାଇ ରାହୁଲ ଗାନ୍ଧୀ ପିସିସି ପରିବର୍ତ୍ତନ ନେଇ ସଙ୍କେତ ଦେଇଥିଲେ। ତେବେ ପିସିସି ପରିବର୍ତ୍ତନ ନେଇ ବର୍ତ୍ତମାନ କିଛି କହିହେବ ନାହିଁ ବୋଲି ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି।