ସରକାର ଗଢ଼ିବାକୁ ଆମକୁ ବି ଡ଼ାକ ! ଗୋଆ, ବିହାର, ମେଘାଳୟ ଓ ମଣିପୁରରେ ଉଠିଲା କର୍ଣ୍ଣାଟକ ଫର୍ମୁଲା

45

କର୍ଣ୍ଣାଟକ ନ୍ୟାୟରେ ସରକାର ଗଠନ ପାଇଁ ନିଜ ନିଜ ରାଜ୍ୟର ରାଜ୍ୟପାଳଙ୍କ ନିକଟରେ ଦାବି କରିବେ ଗୋଆ କଂଗ୍ରେସ ଓ ବିହାର ଆରଜେଡି । କାରଣ ଏହି ଦୁଇ ରାଜ୍ୟରେ ସବୁଠାରୁ ବଡ ଦଳ ସରକାର ନକରି ଅନ୍ୟ ଦଳଙ୍କ ସହ ମେଂଟ କରି ସରକାର ଗଢିଛି ବିଜେପି ।

ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବାରୁ, ବିଜେପିକୁ ସରକାର ଗଠନ ପାଇଁ କର୍ଣ୍ଣାଟକ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ଦୁଇ ବିରୋଧି ଦଳ କଂଗ୍ରେସ ଓ ଆରଜେଡି, ସରକାର ଗଠନ ପାଇଁ ସେମାନଙ୍କୁ ଆମନ୍ତ୍ରଣ କରିବା ଉଚିତ ବୋଲି ଦାବି କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ଗୋଆର କଂଗ୍ରେସ ନେତା କହିଛନ୍ତି ସେମାନେ ଗୋଆର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ପତ୍ର ରଖିବେ ।

୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୬ଟି ଆସନରେ ବିଜୟୀ ହୋଇ ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଥିଲା । କିନ୍ତୁ ସରକାର ଗଢ଼ିବା ପାଇଁ ଆବଶ୍ୟକୀୟ ସଂଖ୍ୟା ହାସଲ କରିପାରିନଥିଲା । ଯାହାର ଫାଇଦା ଉଠାଇଥିଲା ବିଜେପି । ଅନ୍ୟ ଆଞ୍ଚଳିକ ଦଳକୁ ସାଥୀ କରି ୧୪ଟି ଆସନରେ ବିଜୟୀ ହୋଇଥିବା ବିଜେପି ସରକାର ଗଢ଼ିଥିଲା ।

Tejashwi Yadav

ସେପଟେ ଏହି ବିବାଦ ଭିତରେ ବିହାରରେ ମଧ୍ୟ ରାଜନୀତି ସରଗରମ ହୋଇଛି । ରାଷ୍ଟ୍ରିୟ ଜନତା ଦଳ ନେତା ତେଜସ୍ୱୀ ଯାଦବ କହିଛନ୍ତି, ବିହାର ବିଧାନସଭା ଭଙ୍ଗ କରିବା ପାଇଁ ତାଙ୍କ ଦଳ ବିହାର ରାଜ୍ୟପାଳଙ୍କୁ ଦାବି ଜଣାଇବ । କାରଣ କର୍ଣ୍ଣାଟକ ନ୍ୟାୟରେ ବିହାରର ତାଙ୍କର ଦଳ ଆରଜେଡି ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବାରୁ, ସରାର ତାଙ୍କର ହେବା ଉଚିତ ବୋଲି ତେଜସ୍ୱୀ ଯୁକ୍ତି ବାଢିଛନ୍ତି ।

କେବଳ ବିହାର କିମ୍ବା ଗୋଆ ନୁହେଁ ମଣିପୁର ଓ ମେଘାଳୟରେ ମଧ୍ୟ କଂଗ୍ରେସ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଛି । ମଣିପୁରରେ ୬୦ ସିଟ ବିଶିଷ୍ଟ ବିଧାନସଭା ନିର୍ବାଚନରେ କଂଗ୍ରେସ ୨୮ଟି ସିଟରେ ବାଜିମାତ କରିଥିଲା । କିନ୍ତୁ ଅନ୍ୟ ଆଞ୍ଚଳିକ ଦଳର ସମର୍ଥନରେ ୨୧ଟି ସିଟ ଜିତିଥିବା ବିଜେପି ସରକାର ଗଢ଼ିବାକୁ ସକ୍ଷମ ହୋଇଥିଲା । ତେଣୁ କର୍ଣ୍ଣାଟକ ନ୍ୟାୟରେ ବୃହତ ଦଳ ଭାବେ ମଣିପୁରରେ ମଧ୍ୟ ସରକାର ଗଢ଼ିବା ପାଇଁ ଡାକିବାକୁ ଦାବି କରିଛି କଂଗ୍ରେସ ଦଳ ।

କଂଗ୍ରେସକୁ ସବୁଠୁ ବଡ଼ ଝଟକା ଲାଗିଥିଲା ମେଘାଳୟ ନିର୍ବାଚନରେ । ଏଠାରେ କଂଗ୍ରେସ ୨୦ଟି ସିଟ ଜିତି ବଡ଼ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ମାତ୍ର ୨ଟି ସିଟ ଜିତି ଏନପିପି ନେତୃତ୍ୱରେ ସରକାର ଗଢ଼ିଥିଲା ବିଜେପି । ତେବେ ଏସବୁ ଭିତରେ କର୍ଣ୍ଣାଟକ ରାଜନୀତି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଗୋଆ ଓ ବିହାରରେ ରାଜନୀତି କେଉଁ ମୋଡ ନେଉଛି, ତା ଉପରେ ସମସ୍ତଙ୍କ ନଜର ।