କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଅନୁଗୁଳ ମ୍ୟୁନିସିପାଲିଟିର ବିଜେପି ଓ କଂଗ୍ରେସ ଦଳର ପଦାଧିକାରୀ ଓ ଶତାଧିକ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପୂର୍ବତନ ମ୍ୟୁନିସିପାଲିଟି ଚେୟାରମ୍ୟାନ୍, ପୂର୍ବତନ କାଉନ୍ସିଲର ଓ ୩୦୦ରୁ ଅଧିକ କର୍ମୀ ସାମିଲ ଅଛନ୍ତି ।

Advertisment

ଆଜି ରାଜ୍ୟ ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ସମସ୍ତ କଂଗ୍ରେସ ଓ ବିଜେପି ନେତୃବୃନ୍ଦଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟବାସୀ ବିଜେଡ଼ିକୁ ବିପୁଳ ସମର୍ଥନ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅହେତୂକ ଆଶୀର୍ବାଦ ପ୍ରଦାନ କରିଛନ୍ତି, ସେଥିପାଇଁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।

ବିଜୁ ଜନତା ଦଳର ଅନୁଗୁଳ ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଶ୍ରୀ କୁନା ବିହାରୀ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଚେୟାରମ୍ୟାନ୍ ଅକ୍ଷୟ କୁମାର ସାମନ୍ତ ଓ ପୂର୍ଣ୍ଣଚନ୍ଦ୍ର ରାଉତ, ରାଜ୍ୟ କଂଗ୍ରେସର ସମ୍ପାଦକ ତଥା ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷା ସୁକାନ୍ତି ଦାସ, ପୂର୍ବତନ କାଉନ୍ସିଲର କାର୍ତ୍ତିକ ପରିଡ଼ା, ବିକାଶ ସୁବୁଦ୍ଧି, ଗୌରୀ ଶଙ୍କର ସେଠୀ, ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସର ପୂର୍ବତନ ଉପସଭାପତି ରାଜଶ୍ରୀ ମହାନ୍ତି, ସମାଜସେବୀ ତଥା ଜିଲ୍ଲା କଂଗ୍ରେସର କର୍ମକର୍ତ୍ତା ବିଦ୍ୟା ନାୟକ, ଶଙ୍କର ସେଠୀ, ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି ମମତା ମହାପାତ୍ର, ପୂର୍ବତନ ଜିଲ୍ଲା ବିଜେପି ଯୁବ ସଭାପତି ଶ୍ୟାମସୁନ୍ଦର ପାଲଶର୍ମା ବିଜେଡ଼ିରେ ସାମିଲ୍ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ସାଂସଦ ମହେଶ ସାହୁ, ବିଜେଡ଼ି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଅନୁଗୁଳ ଜିଲ୍ଲା ସଭାପତି ମହେନ୍ଦ୍ର କୁମାର ବସ୍ତିଆ, ଲୁଲୁ ଅମାତ ପ୍ରମୁଖ ଉପସ୍ଥିତ ଥିଲେ ।