ଗରିବୀ ଉପରେ ପ୍ରହାର, କଂଗ୍ରେସ ସରକାର ? କଂଗ୍ରେସର ପ୍ରତିଶ୍ରୁତି ପତ୍ରକୁ କୁକୁଡା ଉପାଖ୍ୟାନ ସହ ତୁଳନା କଲା ବିଜେପି ।

134

କନକ ବ୍ୟୁରୋ : ଗରିବୀ ଉପରେ ପ୍ରହାର ୭୨ ହଜାର । ଏଥର କେନ୍ଦ୍ରରେ କଂଗ୍ରେସ ସରକାର ।  କଂଗ୍ରେସର ମିଶନ୍- ୨୦୧୯ । ପ୍ରତିଶ୍ରୁତି ପତ୍ର ଜରିଆରେ ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଦଳ ତାର ଆଭିମୁଖ୍ୟ ସ୍ଥିର କରିସାରିଛି । କୃଷକ, ସେନା, ରୋଜଗାର ପରି ୫ଟି ବିନ୍ଦୁ ଉପରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର କେନ୍ଦ୍ରୀଭୂତ ହୋଇଛି । ଯାହା ଭିତରେ ସବୁଠାରୁ ଲୋଭନୀୟ ଅଫର ହେଉଛି ନ୍ୟାୟ ଯୋଜନା, ଯେଉଁଥିରେ ଦେଶର ୨୦ ପ୍ରତିଶତ ଗରିବଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ଦେବେ ସରକାର । ହେଲେ ବିଜେପି ଏହାକୁ କୁକୁଡା ଉପାଖ୍ୟାନ ସହ ତୁଳନା କରି କାର୍ଯ୍ୟକାରିତା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ଅର୍ଥାତ କୁକୁଡା ଆସିବ, ଅଣ୍ଡା ଦେବ ଆଉ ତାକୁ ବିକ୍ରି କରି କୋଟିପତି ହେବାର ସ୍ୱପ୍ନ ।

ଗରିବୀ ଉପରେ ସର୍ଜିକାଲ ଷ୍ଟ୍ରାଇକ ବୋଲି କୁହାଯାଉଥିବା ନ୍ୟାୟ ଯୋଜନା ବାଦ୍ ଚାଷୀଙ୍କ ପାଇଁ କଂଗ୍ରେସ ମେନିଫେଷ୍ଟୋରେ ଦିଆଯାଇଛି ବଡ ପ୍ରତିଶ୍ରୁତି । ସରକାରକୁ ଆସିଲେ କୃଷକଙ୍କ ପାଇଁ ଅଲଗା ବଜେଟ୍ ଆଣିବ କଂଗ୍ରେସ । ଏପରିକି ଋଣ ଶୁଝି ନପାରିଲେ ଚାଷୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ହେବ ନାହିଁ । ରୋଜଗାର ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ଘୋଷଣା ପତ୍ରକୁ ଘେରିଛି ବିଜେପି । ଏହି ଗୋଟିଏ ପ୍ରସଙ୍ଗରେ ଅସୁବିଧାରେ ପଡିଥିବା ବିଜେପି ସରକାର, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନିଜ ନିର୍ବାଚନୀ ଇସ୍ତାହାର ଠିକରେ ପଢିବାକୁ ଦେଇଛି ପରାମର୍ଶ ।

ସବୁଠାରୁ ବଡକଥା ହେଉଛି ପ୍ରତିଶ୍ରୁତି ପତ୍ର ପଢିଲାବେଳେ ରାହୁଲ ଗାନ୍ଧି ଏକଥା କହିବାକୁ ଭୁଲି ନଥିଲେ ଯେ, ଏହି ଘୋଷଣା ପତ୍ର ପଛରେ କେଉଁମାନଙ୍କ ହାତ ରହିଛି । ସୋନିଆ, ମନମୋହନଙ୍କଠାରୁ ଆରମ୍ଭ କରି ଚିଦାମ୍ବରମଙ୍କ ପରାମର୍ଶରେ ଦଳ ତାର ପ୍ରତିଶ୍ରୁତି ପତ୍ର ପ୍ରସ୍ତୁତ କରିଥିବା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଯେଉଁଥିରେ ଲୋକଙ୍କ କଥାକୁ ସ୍ଥାନିତ କରାଯାଇଛି । ଅର୍ଥାତ ରାହୁଲ ଗାନ୍ଧି, ଦେଶକୁ ଜଣାଇବାକୁ ଚାହିଁଥିଲେ ଯେ, ଏହା କେବଳ ଏକ ନିର୍ବାଚନୀ ଇସ୍ତାହାର ନୁହେଁ । ବରଂ କ୍ଷମତାକୁ ଆସିଲେ ଦେଶ ପାଇଁ କଂଗ୍ରେସର ଭିଜନ୍ ।

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା କଲାବେଳେ ରାହୁଲ ଗାନ୍ଧି ବାରମ୍ବାର କହିଥିଲେ ଯେ, ସେ ଇସ୍ତାହାର କମିଟିକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ଅର୍ଥାତ ଦଳର ବଡ ବଡ ଦିଗଜଙ୍କ ଉପସ୍ଥିତିରେ ରାହୁଲ ଘୋଷଣା କରିଦେଇଥିଲେ ଯେ, ସବୁକିଛି ତାଙ୍କରି ନିର୍ଦ୍ଦେଶରେ ହୋଇଛି । ଏପରିକି ମେନିଫେଷ୍ଟୋ ଉନ୍ମୋଚନ ବେଳେ ସଭାରେ କେବଳ ରାହୁଲ ଗାନ୍ଧିଙ୍କ ଫଟୋ ହିଁ ରହିଥିଲା । ଯାହା ସୂଚନା ଦେଉଥିଲା ସୋନିଆ କଂଗ୍ରେସ ଏବେ ରାହୁଲ କଂଗ୍ରେସରେ ପରିଣତ ହୋଇସାରିଛି ।