ମାସ୍କ କିଣା ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ, ମନ୍ତ୍ରୀଙ୍କୁ ୫ ପ୍ରଶ୍ନ ପଚାରିଲା ବିଜେପି ।

390

କନକ ବ୍ୟୁରୋ : ରାଜ୍ୟରେ କୋଭିଡ୍ ଉପକରଣ କିଣାକୁ ନେଇ ରାଜନୀତି ଥମିବାର ନାଁ ନେଉନି । କୌଣସି ଦୁର୍ନୀତି ହୋଇନଥିବା ସରକାର ବାରମ୍ବାର ସଫେଇ ଦେବା ପରେ ବି ବିରୋଧୀ, ପ୍ରସଙ୍ଗକୁ ଛାଡିବାକୁ ନାରାଜ । ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ କରିଛି ବିଜେପି ।

କୋଭିଡ୍ ସାମଗ୍ରୀ କିଣାରେ କୌଣସି ଦୁର୍ନୀତି ହୋଇନଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଫେଇ ପରେ ବି ଏହି ପ୍ରସଙ୍ଗରୁ ଓହରି ନାହାନ୍ତି ବିରୋଧୀ । ବରଂ ଆହୁରି ଶାଣିତ ସ୍ୱରରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ମାସ୍କ କିଣାରେ କିପରି ବଡ଼ ଧରଣର ଦୁର୍ନୀତି ହୋଇଛି, ସେ ନେଇ ତଥ୍ୟ ଉପସ୍ଥାପନ କରି ସରକାରଙ୍କୁ ଘେରିଛି କଂଗ୍ରେସ ।

ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଗରେ କିଛି ପ୍ରଶ୍ନ ରଖିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ମାର୍ଚ୍ଚ ୨୧ ଗେଜେଟ୍ ପରେ କିଛି ରାଜ୍ୟରେ ସମସ୍ୟା ହେବାରୁ ମାର୍ଚ୍ଚ ୨୪ ତାରିଖରେ ୩ ପରସ୍ତ ମାସ୍କର ଦାମ ୧୬ ଟଙ୍କା ଭିତରେ ରଖିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ କେନ୍ଦ୍ର ସରକାର । ଏହା ପରେ ଏପ୍ରିଲ ୪ ତାରିଖରେ ୩ ପରସ୍ତ ମାସ୍କର ଦାମ ଅତି ବେଶୀରେ ୧୦ ଟଙ୍କା ରଖି ଟେଣ୍ଡର ଆହ୍ୱାନ କରିଥିଲା ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ୍ । ହେଲେ ପରବର୍ତ୍ତି ସମୟରେ କିପରି ଅନ୍ୟ ଏକ କଂପାନୀରୁ ୧୬ ଟଙ୍କା ଦେଇ ମାସ୍କ କିଣାଗଲା, ଏ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।

ବିରୋଧୀଙ୍କ ଏହି ଅଭିଯୋଗକୁ ଶନିବାର ଦିନ ଖଣ୍ଡନ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । କେନ୍ଦ୍ର ସରକାର ମାସ୍କ କିଣିବା ପାଇଁ ଯେଉଁ ଦର ଧାର୍ଯ୍ୟ କରିଥିଲେ, ସେହି ଅନୁସାରେ କିଣାଯାଇଛି ବୋଲି ଯୁକ୍ତି ଦର୍ଶାଇଥିଲେ ନବ ଦାସ । ଯେଉଁ ଅଫିସରମାନେ କୋଭିଡ୍ ମୁକାବିଲା ପାଇଁ ଦିନରାତି ଏକ କରି କାମ କରିଛନ୍ତି, ସେମାନଙ୍କୁ ପ୍ରଶଂସା କରିବା ପରିବର୍ତେ ନିନ୍ଦା କରିବା କେତେ ସମୀଚୀନ ବୋଲି ପ୍ରଶ୍ନ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସେହିପରି କରୋନା ମୁଖପାତ୍ର ସୁବ୍ରତ ବାଗଚୀ କହିଥିଲେ ଯେ ଅଫିସରଙ୍କ ବିରୋଧରେ ଗୁଜବ ସୃଷ୍ଟି କରାଯାଉଛି । ତେବେ କେଉଁ ପରିସ୍ଥିତିରେ ଅଧିକ ଟଙ୍କା ଦେଇ ମାସ୍କ କିଣାଗଲା, ତା’ର ସନ୍ତୋଷଜନକ ଉତ୍ତର ନମିଳିବା ଯାଏଁ, ଏହି ପ୍ରସଙ୍ଗରେ ରାଜନୀତି ଥମିବା ସମ୍ଭାବନା କମ୍ ।