ପିସ୍ତଲ ଦେଖାଇଲେ ବିଧାୟିକାଙ୍କ ପିଏସଓ । ତୁରନ୍ତ ଗିରଫ ଦାବି କଲା କଂଗ୍ରେସ

163

କନକ ବ୍ୟୁରୋ : ଅତାବିରା ଥାନାକୁ ଘେରାଉ କଲେ କଂଗ୍ରେସ କର୍ମୀ । ଅତାବିରା ବିଧାୟିକା ସ୍ନେହାଙ୍ଗିଣୀ ଛୁରିଆଙ୍କ ପିଏସଓ ବନ୍ଧୁକ ଦେଖାଇବା ଘଟଣାରେ ଉତେଜନା ପ୍ରକାଶ ପାଇଛି । ଆଜି ବିଧାୟିକାଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼ ପରେ ହିର୍ଲିପାଲିଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ସ୍ନେହାଙ୍ଗିଣୀ । ଡୁମ୍ବେରୁପାଲି ଛକଠାରେ ବିଧାୟିକାଙ୍କ ଡ୍ରାଇଭର ଓ ପିଏସଓଙ୍କ ସହ କଂଗ୍ରେସ କର୍ମୀ ବଚସା କରିଥିଲେ । ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏହାକୁ ନେଇ ଉତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ କର୍ମୀଙ୍କୁ ବିଧାୟିକାଙ୍କ ପିଏସଓ ବନ୍ଧୁକ କାଢ଼ି ଦେଖାଇଥିଲେ । ଘଟଣା ସ୍ଥଳରେ ଅତାବିରା ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
ବିଧାୟିକାଙ୍କ ଡ୍ରାଇଭର ଓ ପିଏସଓଙ୍କ ନାଁରେ ଗାଳି ଗୁଲଜ କରିବା ଓ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ମାରିଦେବାକୁ ଧମକ ଦେଇଥିବା ନେଇ ଅତାବିରା ଥାନାରେ କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଧାୟିକାଙ୍କ ଡ୍ରାଇଭର ଓ ପିଏସଓଙ୍କୁ କଂଗ୍ରେସ କର୍ମୀମାନେ ମାଡପିଟ୍ କରିଥିବା ଅଭିଯୋଗ ମଧ୍ୟ ହୋଇଛି ।