ଦିଲ୍ଲୀ, ଗୁଜରାଟ ଓ ହରିଆଣାରେ ଏକାଠି ଲଢ଼ିବେ ଆପ ଓ କଂଗ୍ରେସ । ବିଜେପିକୁ ଚେକ ଦେବାକୁ ହାତକୁ ଏବେ ଝାଡ଼ୁ ଭରଷା

152

କନକ ବ୍ୟୁରୋ: ବିଜେପିକୁ ହରାଇବା ପାଇଁ ହାତକୁ ଏବେ ଝାଡୁ ଭରଷା । ଲୋକସଭା ନିର୍ବାଚନ ପାଇଁ ଆପ୍ ଓ କଂଗ୍ରେସ ମଧ୍ୟରେ ସରିଲା ଆସନ ବୁଝାମଣା । ଦିଲ୍ଲୀ ପାଇଁ ୪-୩ ଫର୍ମୁଲାରେ ମୋହର ବାଜିଛି । ଅର୍ଥାତ ୪ଟି ଆସନରେ ଆପ୍ ଓ ୩ଟିରେ ଲଢ଼ିବ କଂଗ୍ରେସ । ସେହିପର ଗୁଜରାଟ ଓ ହରିଆଣାରେ ଗୋଆ ଏବଂ ଚଣ୍ଡିଗଡ଼ ପାଇଁ ମଧ୍ୟ ଆସନ ଭାଗବଣ୍ଟା ଛିଡିଛି ।

  • ସାଧାରଣ ନିର୍ବାଚନ ପାଇଁ ଆସନ ବୁଝାମଣା
  • ଛିଡ଼ିଲା ଆପ-କଂଗ୍ରେସର ଆସନ ଅଙ୍କ
  • କାହା ଖାତାକୁ ଆସିଲା କେତେ ଆସନ?

ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି । ଶନିବାର ମିଳିତ ସାମ୍ବାଦିକ ସମ୍ମିଳନୀ କରି ଉଭୟ ଦଳ ଆସନ ବୁଝାମଣା ବାବଦରେ ବଡ଼ ଘୋଷଣା କରିଛନ୍ତି ।

ଦିଲ୍ଲୀରେ ୪:୩ ଫର୍ମୁଲା

  • ଦିଲ୍ଲୀରେ ୭ ଲୋକସଭା ଆସନ ରହିଛି
  • ଆପ ୪ ଓ କଂଗ୍ରେସ ୩ ଆସନରେ ଲଢ଼ିବେ
  • କଂଗ୍ରେସ ଚାନ୍ଦିନୀ ଚୌକ, ଉତ୍ତରପୂର୍ବ ଦିଲ୍ଲୀ ଓ ଉତ୍ତରପଶ୍ଚିମ ଦିଲ୍ଲୀରୁ ଲଢ଼ିବ
  • ନୂଆ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ପୂର୍ବ ଦିଲ୍ଲୀ ଆସନରେ ଆପ୍ ପ୍ରତିଦ୍ୱନ୍ଦ୍ୱିତା କରିବ

ଗୁଜରାଟରେ ୨୪:୨ ଫର୍ମୁଲା

  • ଗୁଜରାଟର ୨୬ ଆସନରୁ କଂଗ୍ରେସ ୨୪ ଓ ଆମ ଆଦମୀ ପାର୍ଟି ୨ଟି ଆସନରେ ଲଢ଼ିବାକୁ ଘୋଷଣା କରିଛନ୍ତି
  • ଭରୁଚ, ଭାବନଗର ୨ଟି ଆସନରେ ଆପ୍ ପ୍ରତିଦ୍ୱନ୍ଦ୍ୱିତା କରିବ

ହରିଆଣାରେ ୯:୧ ଫର୍ମୁଲା

  • ହରିଆଣାର ୧୦ ଲୋକସଭା ଆସନରୁ କଂଗ୍ରେସ ୯ ଆସନରେ ଲଢ଼ିବ
  • ଆପ କେବଳ ଗୋଟିଏ ଆସନ କୁରୁକ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରିବ

ସେପଟେ ଗୋଆର ଦୁଇଟି ଆସନରେ ଏକାକୀ ଲଢ଼ିବାକୁ କଂଗ୍ରେସ ଘୋଷଣା କରିଛନ୍ତି । ଏଠାରେ ଲଢ଼ିବନି ଆମ ଆଦମୀ ପାର୍ଟି । ପୂର୍ବରୁ ପଞ୍ଜାବର ୧୩ଟି ଆସନରୁ ଏକାକୀ ଲଢ଼ିବାକୁ ଆପ ଘୋଷଣା କରିସାରିଛି । ତେବେ ୩ ରାଜ୍ୟ ଦିଲ୍ଲୀ, ଗୁଜରାଟ, ହରିଆଣାରେ ଆସନ ବୁଝାମଣା କଂଗ୍ରେସ ପାଇଁ ନିଶ୍ଚିତ ଭାବେ ବଡ ଆଶ୍ୱସ୍ତି ଆଣିଛି । ସେପଟେ ଉତ୍ତରପ୍ରଦେଶର ୮୦ ଆସନରୁ କଂଗ୍ରେସ ୧୭ ଓ ସପା ୬୩ ଆସନ ଲଢ଼ିବା ନେଇ ସହମତି ପ୍ରକାଶ ପାଇଛି ।

କହିବାକୁ ଗଲେ ୪ ରାଜ୍ୟ ପାଇଁ ଡିଲ ଫାଇନାଲ୍ ହେବା ଉଭୟ ଦଳର ଦ୍ୱନ୍ଦକୁ ଦୂର କରିଛି । ଆଗକୁ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତାମିଲନାଡୁ ଓ ବିହାର ଆସନ ଭାଗବଣ୍ଟା ବାକି ରହିଛି । ଯଦିଓ ପଶ୍ଚିମବଙ୍ଗରେ ଟିଏମସି ଏକାକୀ ଲଢ଼ିବା ନେଇ ଘୋଷଣା କରିଛି ତଥାପି କଂଗ୍ରେସ କହୁଛି ଟିଏମସି ସହ କଥା ଚାଲିଛି ଓ ଖୁବଶୀଘ୍ର ନିର୍ଣ୍ଣାୟକ ନିଷ୍ପତି ନିଆଯିବ । ଲୋକସଭା ନିର୍ବାଚନ ଉଭୟ ଉତ୍ତରପ୍ରଦେଶ ଓ ଦିଲ୍ଲୀ ଉପରେ ସମସ୍ତଙ୍କ ନଜର ରହିଥାଏ । ବିଜେପିକୁ ପରାଜୟ ସ୍ୱାଦ ଚଖାଇବା ପାଇଁଁ କଂଗ୍ରେସ ବିଭିନ୍ନ ରାଜ୍ୟରେ ଆସନ ବୁଝାମଣା ଭିତିରେ ଯେଉଁ ରଣନୀତି ପ୍ରସ୍ତୁତ କରିଛି ସେଥିରେ କେତେଦୂର ସଫଳ ହେଉଛି ତାହା ନିର୍ବାଚନ ଫଳାଫଳ ପ୍ରକାଶ ପରେ ଜଣାପଡିବ ।