ଏକାଠି ଲଢିବେ ଆପ୍-କଂଗ୍ରେସ । ଦିଲ୍ଲୀରେ ୪ ଆସନରେ ଲଢିବ ଆପ୍, ଗୋଆରେ ୨ ଆସନରେ ଲଢିବ କଂଗ୍ରେସ ।

140

କନକ ବ୍ୟୁରୋ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଏକାଠି ଲଢିବେ ଆପ-କଂଗ୍ରେସ । ଦିଲ୍ଲୀ ସମେତ ହରିୟାଣା, ଗୁଜୁରାଟ, ଗୋଆ ଓ ଚଣ୍ଡିଗଡରେ ମିଳିତ ଭାବେ ଲଢିବେ ଉଭୟ ଦଳ । ଏନେଇ ଆଜି ଦିଲ୍ଲୀରେ ଉଭୟ ଦଳ ପକ୍ଷରୁ ମିଳିତ ଭାବେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଇଣ୍ଡିଆ ମେଣ୍ଟରେ ଥିବା ଦଳ ଗୁଡିକ ମଧ୍ୟରେ ସିଟ୍ ଭାଗବଣ୍ଟାକୁ ନେଇ ଆଲୋଚନା ହୋଇଛି । ଆପ୍-କଂଗ୍ରେସ ମଧ୍ୟରେ ଦୀର୍ଘ ଆଲୋଚନା ପରେ କିଏ କେତେ ଆସନରେ ଏବଂ କେଉଁ ଆସନରୁ ଲଢିବେ ତାହା ଫାଇନାଲ ହୋଇଛି ।

କଂଗ୍ରେସ ନେତା ମୁକୁଲ ବାସନିକ କହିଛନ୍ତି, ଆପ୍ ଓ କଂଗ୍ରେସ ଗୁଜୁରାଟ, ଦିଲ୍ଲୀ, ହରିୟାଣା, ଗୋଆ ଓ ଚଣ୍ଡିଗଡରେ ମିଳିତ ଭାବେ ନିର୍ବାଚନ ଲଢିବେ । ଦିଲ୍ଲୀରେ ଆପ୍ ୪ଟି ଆସନରେ ଏବଂ କଂଗ୍ରେସ ୩ଟି ଆସନରେ ନିର୍ବାଚନ ଲଢିବ । ଚଣ୍ଡିଗଡ ଓ ଗୋଆର ୨ଟି ଆସନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବ । ସେହିଭଳି ହରିୟାଣାରେ କଂଗ୍ରେସ ୯ଟି ଓ ଆପ୍ ଗୋଟିଏ ଆସନରେ ନିର୍ବାଚନ ଲଢିବେ । ଗୁଜୁରାଟ ଆପ୍ ୨ଟି ଓ କଂଗ୍ରେସ ୨୪ଟି ଆସନରେ ନିର୍ବାଚନ ଲଢିବେ । ଉଭୟ ଦଳ ପରସ୍ପରର ଚିହ୍ନରେ ନିର୍ବାଚନ ଲଢିବେ । ମିଳିତ ଭାବେ ଲଢି ବିଜେପିକୁ ହରାଇବୁ ବୋଲି କହିଛନ୍ତି ମୁକୁଲ ବାସନିକ ।

ଉଭୟ ଦଳ ମଧ୍ୟରେ ଅନ୍ୟ ରାଜ୍ୟରେ ସିଟ୍ ବୁଝାମଣା ହୋଇଥିବା ବେଳେ ପଞ୍ଜାବରେ ଉଭୟ ଦଳ ଏକଲା ଚଲୋ ନୀତି ଆପଣାଇ ଏକାକୀ ନିର୍ବାଚନ ଲଢିବେ । ଆପ୍ ସହ ମିଳିତ ଭାବେ ଲଢିବା ପ୍ରସଙ୍ଗରେ ପଞ୍ଜାବର କଂଗ୍ରେସ ନେତା ରାଜି ନୁହନ୍ତି । ଏନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ କଂଗ୍ରେସ ନେତା । ପଞ୍ଜାବ କଂଗ୍ରେସର ଅନେକ ନେତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । କଂଗ୍ରେସର ଅନେକ ନେତା ଏବେ ଜେଲରେ ଅଛନ୍ତି । ଏଭଳିସ୍ଥିତିରେ ମିଳିତ ଭାବେ ଆପ୍ ସହ ନିର୍ବାଚନ ଲଢିଲେ କଂଗ୍ରେସକୁ କ୍ଷତି ସହିବାକୁ ପଡିପାରେ ।