ଗାନ୍ଧୀ ପରିବାର ହାତରେ ରହିବ କଂଗ୍ରେସ କମାଣ । ଏବେ ସୋନିଆ ଓ ପରେ ରାହୁଲଙ୍କ ନେତୃତ୍ୱରେ ପରିଚାଳିତ ହେବ ଦଳ ।

194

କନକ ବ୍ୟୁରୋ : ଗାନ୍ଧୀ ପରିବାର ବିନା ଯେମିତି କଂଗ୍ରେସର କୌଣସି ସ୍ଥିତି ନାହିଁ । ଗାନ୍ଧୀ ପରିବାରକୁ ଛାଡି କଂଗ୍ରେସର ଚିନ୍ତା କରାଯାଇପାରିବନି । ଗତକାଲିର ବୈଠକରୁ ଏଭଳି ଏକ ସଂକେତ ମିଳିବା ସହ ପୁଣି ଥରେ ସେହି ଗାନ୍ଧୀ ପରିବାର ହିଁ କଂଗ୍ରେସର କମାଣ ସମ୍ଭାଳିବେ ବୋଲି ସ୍ପଷ୍ଟ ହୋଇଯାଇଛି । ହେଲେ ଗାନ୍ଧୀ ପରିବାରର ନେତୃତ୍ୱକୁ ନେଇ ଦଳ ଭିତରେ ଯେଉଁ ଅସନ୍ତୋଷ ରହିଛି ଓ ବିଭିନ୍ନ ରାଜ୍ୟରେ କନ୍ଦଳ ଲାଗି ରହିଛି ତାର ସମାଧାନ କରିବା ଆଗାମୀ ଦିନରେ ବଡ ଚାଲେଞ୍ଜ ହେବ ।

ଗାନ୍ଧୀ ପରିବାର ହାତରେ ରହିବ କଂଗ୍ରେସ କମାଣ । ଆଉ ବର୍ଷେ ପାଇଁ ସୋନିଆ ସଭାପତି ରହିବା ଓ ପୁଣି ସଭାପତି ପଦ ପାଇଁ ରାହୁଲ ବିଚାର କରିବେ ବୋଲି ରାହୁଲ ଗାନ୍ଧି ସମ୍ମତି ଦେବା ପରେ ସ୍ପଷ୍ଟ ହୋଇଛି ପୁଣି ଥରେ ଗାନ୍ଧି ପରିବାର ଭରସାରେ କଂଗ୍ରେସ ।

୨୦୧୯ ନିର୍ବାଚନ ପରାଜୟ ପରେ ରାହୁଲ ପଦ ଛାଡିବା ଏବଂ ଗାନ୍ଧୀ ପରିବାର ବାହାରେ କେହି ନେତା କଂଗ୍ରେସର ଦାୟିତ୍ୱ ନେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କଂଗ୍ରେସ କାର୍ଯ୍ୟକାରିଣୀରୁ ଯେଉଁ ସଙ୍କେତ ମିଳିଛି, ସେଥିରୁ ସ୍ପଷ୍ଟ ହେଉଛି ଏହି ସର୍ବପୁରାତନ ଦଳର ଦାୟିତ୍ୱ ଗାନ୍ଧୀ ପରିବାର ବାହାରକୁ ଯିବ ନାହିଁ । ଏବେ ସୋନିଆ ଓ ପରେ ରାହୁଲଙ୍କ ନେତୃତ୍ୱରେ ହିଁ ପରିଚାଳତ ହେବ କଂଗ୍ରେସ ଦଳ ।

ଗାନ୍ଧି ପରିବାର ହାତରେ କଂଗ୍ରେସ ରହିବ ବୋଲି ଏକ ପ୍ରକାର ସ୍ପଷ୍ଟ ହେବା ପରେ ପଞ୍ଜାବ, ଛତିଶଗଡ ଓ ରାଜସ୍ଥାନ ଗଡ ବଞ୍ଚାଇବା ଦଳ ପାଇଁ ଆଗକୁ ବଡ ଚ୍ୟାଲେଞ୍ଜ ହେବ । ଏହି ସବୁ ରାଜ୍ୟରେ ଦଳୀୟ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି । ସେହିଭଳି ୨୦୨୨ରେ ୟୁପି ଓ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ । ତେଣୁ ଏଠାରେ ବିଶୃଙ୍ଖଳାକୁ ରୋକି ନିର୍ବାଚନ ସାମ୍ନା କରିବା ଦଳ ପାଇଁ ଗାନ୍ଧି ପରିବାର ପାଇଁ ଚ୍ୟାଲେଞ୍ଜ ହେବାକୁ ଯାଉଛି ।

ଦେଶରେ କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ଧିରେ ଧିରେ କମିବାରେ ଲାଗିଛି । ବଡ ପ୍ରଶ୍ନ ଉଠୁଛି, ଗାନ୍ଧି ପରିବାର ଦଳକୁ ଏକଜୁଟ ରଖିପାରିବେ କି ? ଦଳ ପ୍ରତି ପୂର୍ବ ଜନସମର୍ଥନ ଫେରିବ କି ? ସୋନିଆ ବରିଷ୍ଠଙ୍କୁ ଗୁରୁତ୍ୱ ଦେଉଥିବାବେଳେ ରାହୁଲଙ୍କ ଭରସା ହେଉଛନ୍ତି ଯୁବ ବ୍ରିଗେଡ୍ । ଗାନ୍ଧି ପରିବାର ନେତୃତ୍ୱରେ ଦଳ ୨୦୨୨ ଓ ଆଗାମୀ ନିର୍ବାଚନରେ କେତେ ସଫଳତା ହାସଲ କରିବ ?