ଫେରିଲା ରାଜନୀତିର ଅଣ୍ଡା । ଭୁବନେଶ୍ୱରରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ଫିଙ୍ଗିଲା ଛାତ୍ର କଂଗ୍ରେସ ।

171

କନକ ବ୍ୟୁରୋ : ପୁଣି ଫେରିଛି ପ୍ରତିବାଦର ଅଣ୍ଡା ମାଡ ରାଜନୀତି । ମମିତା ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ପରେ ତାଙ୍କ ବାସଭବନ ଉପରେ ଅଣ୍ଡାମାଡ ହୋଇଥିଲା । ଏପଟେ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗାଡି ଉପରେ ଅଣ୍ଡାମାଡ କରିଛି ଯୁବ କଂଗ୍ରେସ । ୟୁପି ଲକ୍ଷୀମପୁର ଖେରୀ ଘଟଣାର ପ୍ରତିବାଦରେ ମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ କରିଛନ୍ତି ଯୁବ କଂଗ୍ରେସ କର୍ମୀ ।

ପୁଣି ଫେରିଲା ରାଜନୀତିର ଅଣ୍ଡା । ପ୍ରତିବାଦର ‘କଂଗ୍ରେସ’ ଷ୍ଟାଇଲ୍ । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼ । ଉତ୍ତରପ୍ରଦେଶ ଲଖୀମପୁର ଖେରୀ ଘଟଣା ପ୍ରତିବାଦରେ ଅଣ୍ଡାମାଡ କରିଥିଲା ଛାତ୍ର କଂଗ୍ରେସ । ବିମାନ ବନ୍ଦରରୁ ବାହାରକୁ ଆସିବା ପରେ ଏୟାରପୋର୍ଟ ଛକରେ ମନ୍ତ୍ରୀଙ୍କ ଗାଡି ଉପରକୁ ଛାତ୍ର କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିଲେ ।

ମୁଣ୍ଡଳୀ ସ୍ଥିତ ସିଆଇଏସଏଫ୍ କେଆରଟିସିର ଏକ ବାରାକର ଉଦଘାଟନ ପାଇଁ ଆସିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ । ତେବେ ବିମାନବନ୍ଦର ରାସ୍ତାର ବିଭିନ୍ନ ସ୍ଥାନରେ ପୂର୍ବରୁ ପ୍ରସ୍ତୁତ ରହିଥିଲେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀ । ମନ୍ତ୍ରୀଙ୍କ ଗାଡ଼ି ଆସିବା ମାତ୍ରେ ତାଙ୍କ ବିରୋଧରେ ସ୍ଲୋଗାନ ଦିଆଯିବା ସହ କରାଯାଇଥିଲା ଅଣ୍ଡାମାଡ଼ । ଏହାପରେ ଅଣ୍ଡାମାଡ଼ କରିଥିବା କିଛି କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ପୁଲିସ ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଓ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଗୋଟିଏ ପଟେ ଉତ୍ତରପ୍ରଦେଶ ଲଖୀମପୁରରେ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇଦେବା ମାମଲା ଓ ଅନ୍ୟପଟେ ମମିତା ମେହେର ହତ୍ୟା ମାମଲା । ମମିତା ମେହେର ହତ୍ୟା ପ୍ରତିବାଦରେ ଦିବ୍ୟଶଙ୍କରଙ୍କ ବାସଭବନ ଉପରେ ବି ଅଣ୍ଡାମାଡ଼ କରିଥିଲା ଛାତ୍ର କଂଗ୍ରେସ । ସଂଯୋଗର କଥା ହେଉଛି, ଦୁଇଟି ଘଟଣାରେ ଉଭୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କରାଯାଇଛି ଟାର୍ଗେଟ ।