କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ଏବେ ଫଳାଫଳକୁ ଉଭୟ ବିଜେପି ଓ କଂଗ୍ରେସ ଅପେକ୍ଷା କରିଛି । କିନ୍ତୁ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ଚର୍ଚ୍ଚା ହେଉଛି । କଂଗ୍ରେସର ୯ରୁ ୧୦ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଯଦି କଂଗ୍ରେସ ପ୍ରାର୍ଥୀ ପରାଜିତ ହୁଅନ୍ତି ତେବେ କ୍ରସ ଭୋଟିଂ ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଯିବ । ଏପରିକି ରାଜ୍ୟସଭା ଫଳାଫଳ ପରେ କଂଗ୍ରେସ ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି ।

ହିମାଚଳପ୍ରଦେଶର ୬୮ ଜଣ ବିଧାୟକ ଏକମାତ୍ର ରାଜ୍ୟସଭା ଆସନ ପାଇଁ ଭୋଟ କରିଛନ୍ତି । ଏବେ ହିମାଚଳପ୍ରଦେଶରେ କଂଗ୍ରେସର ୪୦, ବିଜେପିର ୨୫ ଓ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି । ସଂଖ୍ୟା ଦୃଷ୍ଟିରୁ ଏହି ଆସନ କଂଗ୍ରେସ ଖାତାକୁ ଆସିବା କଥା । କିନ୍ତୁ ଯଦି କ୍ରସ ଭୋଟିଂ ହୋଇଥାଏ ତେବେ କଂଗ୍ରେସ ହାତରୁ ଏହି ଆସନ ଯିବା ସୁନିଶ୍ଚିତ । ବିଜେପି ପକ୍ଷରୁ ହର୍ଷ ମହାଜନଙ୍କୁ ପ୍ରାର୍ଥୀ କରାଯାଇଛି । ହର୍ଷ ମହାଜନ ପୂର୍ବରୁ କଂଗ୍ରେସରେ ଥିଲେ । ତେବେ ୨୦୨୨ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ପୁରୁଣା ସମ୍ପର୍କ ଜରିଆରେ କଂଗ୍ରେସର କିଛି ବିଧାୟକଙ୍କ ଭୋଟ ହାତେଇବାରେ ହର୍ଷ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଭୋଟ ଗଣତି ପରେ ସବୁକିଛି ସ୍ପଷ୍ଟ ହୋଇଯିବ ।

ଅନ୍ୟପଟେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ କହିଛନ୍ତି, ଆମର ୪୦ ଜଣ ବିଧାୟକ ରହିଛନ୍ତି । ଯଦି କେହି ବିକ୍ରି ହୋଇନଥିବେ ତେବେ ନିଶ୍ଚିତ ଭାବେ ଆମକୁ ୪୦ଟି ଭୋଟ ମିଳିବ । କଂଗ୍ରେସ ବିଚାରଧାରା ଜରିଆରେ ଯେଉଁମାନେ ବିଜୟୀ ହୋଇଛନ୍ତି ସେମାନେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବେ । ଏଭଳି କହି ରାଜ୍ୟସଭା ଫଳାଫଳକୁ ନେଇ ସସପେନ୍ସ ବଢାଇଛନ୍ତି ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ।