କନକ ବ୍ୟୁରୋ : ଆଗକୁ ଲୋକସଭା ନିର୍ବାଚନ । ଏଯାଏଁ ଇଣ୍ଡିଆ ମେଂଟରେ ଛିଣ୍ଡିପାରୁନି ଆସନ ଭାଗବଂଟା । ସହଯୋଗୀ ଦଳ ନିଜ ନିଜ ଆସନ ପାଇଁ ଜିଦରେ ଅଟଳ ଥିବାବେଳେ କଂଗ୍ରେସ ନରମ ପଡୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଲୋକସଭା ନିର୍ବାଚନରେ କଂଗ୍ରେସ ଏଥରକ କେବଳ ୨୫୫ ଆସନରେ ଲଢ଼ିବ । ଯେଉଁଥିରେ ଟୁଇଷ୍ଟ ଆଣିବ ଭାରତ ଯୋଡ ନ୍ୟାୟ ଯାତ୍ରା । ସୂଚନା ଅନୁସାରେ ଲୋକସଭା ଆସନକୁ ଦୃଷ୍ଟିରେ ରଖି କଂଗ୍ରେସ ଭାରତ ଯୋଡ଼ ନ୍ୟାୟଯାତ୍ରାର ରୁଟ୍ ସ୍ଥିର କରିଛି । ଯେଉଁଠି ଅଧିକ ଲୋକସଭା ଆସନ ରହିଛି ସେହି ଅଂଚଳରେ ପହଁଚିବ କଂଗ୍ରେସ ପଦଯାତ୍ରା । ୧୫ରାଜ୍ୟର ୧୧୦ ଜିଲ୍ଲା ଦେଇ ଅତିକ୍ରମ କରିବ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଯେଉଁଠି ରହିଛି ଶହେରୁ ଅଧିକ ଲୋକସଭା ଆସନ । ନିଜେ ରାହୁଲ ଗାନ୍ଧୀ ଏଠାରେ ପହଁଚି ଜନତାଙ୍କ ସହ ଯୋଡ଼ି ହେବେ । ତେଣୁ କୁହାଯାଉଛି ଆସନ ହାତେଇବା ପାଇଁ ଭାରତ ଯୋଡ ନ୍ୟାୟ ଯାତ୍ରାର ରୁଟ ସ୍ଥିର କରାଯାଇଛି । ଯଦି ଆବଶ୍ୟକ ପଡେ ଯାତ୍ରାର ଗତିପଥରେ ସାମାନ୍ୟ ପରିବର୍ତ୍ତନ କରିବାକୁ ଦଳ ଯୋଜନା କରୁଛି ।

ଗୁରୁବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ମହାସଚିବ ୫ଜଣ ସଦସ୍ୟ ବିଶିଷ୍ଠ ମେଂଟ ସମିତି ସହ ବୈଠକ କରିଥିଲେ । କେଉଁ ଦଳ କେତେ ଆସନରେ ଲଢ଼ିବା ଉଚିତ ହେବ ଏନେଇ ସମିତି ସହ ବିଚାର ବିମର୍ଶ କରିଥିଲେ । ଏଥରକ ଆସନ ଲୋଭ ଛାଡି କେବଳ ୨୫୫ ଆସନରେ ଲଢ଼ିବା ପାଇଁ କଂଗ୍ରେସ ବିଚାର କରୁଥିବା ଜଣାପଡିଛି ।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ୪୨୧ ଆସନରେ ନିର୍ବାଚନ ଲଢ଼ିଥିଲା । ଯେଉଁଥିରେ କେବଳ ୫୨ ଆସନରେ ଦଳ ଜିତିଥିଲା । ୨୦୧୯ରେ କଂଗ୍ରେସ ବିହାରରେ ଆରଜେଡି ସହ, ମହାରାଷ୍ଟ୍ରରେ ଏନସିପି, କର୍ଣ୍ଣାଟକରେ ଜେଡିଏସ, ତାମିଲନାଡୁରେ ଡିଏମକେ ଓ ଝାଡ଼ଖଣ୍ଡରେ ଜେଏମଏମ ସହ ମେଂଟ କରି ନିର୍ବାଚନ ଲଢ଼ିଥିଲା । ପଂଜାବ,ଉତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମେଂଟ କଲେ କଂଗ୍ରେସକୁ କିଛି ଆସନ ଛାଡିବାକୁ ପଡିପାରେ ।

ବାରମ୍ବାର ଇଣ୍ଡିଆ ମେଂଟ ବୈଠକ ବସୁଛି ତଥାପି ଆସନ ଭାଗବଂଟା ନେଇ କୌଣସି ନିଷ୍କର୍ସ ବାହାରିପାରୁନି । ଏହାର ପ୍ରମୁଖ କାରଣ ମେଂଟର ଆଭ୍ୟନ୍ତରୀଣ କନ୍ଦଳ ଥିବା ସ୍ପଷ୍ଟ ହେଉଛି । ଟିଏମସି, ସମାଜବାଦି ପାର୍ଟି ଓ ଆମ ଆଦମି ପାର୍ଟି କିଛି ଆସନରେ ଏକାକୀ ଲଢ଼ିବା ନେଇ ଘୋଷଣା କରିବା ପରେ ମେଂଟର ଚିନ୍ତା ବଢ଼ଛି ।

ସମସ୍ତଙ୍କୁ ଏକାଠି ନେଇ କିଭଳି ସାଧାରଣ ନିର୍ବାଚନକୁ ସୁରକ୍ଷିତ ଭାବେ ଲଢ଼ିବ ସେନେଇ କସରତ କରୁଛି କଂଗ୍ରେସ । ଅସନ୍ତୁଷ୍ଟ ସହଯୋଗୀ ଦଳଙ୍କୁ ମନେଇବା ପାଇଁ ଏଥର କିଛି ଆସନ ଛାଡି କେବଳ ୨୫୫ ଆସନରେ ଲଢ଼ିବା ନିଷ୍ପତି କଂଗ୍ରେସକୁ କେତେଦୂର ସଫଳତା ଦେଉଛି ତାହା ନିର୍ବାଚନୀ ଫଳାଫଳରେ ଜଣାପଡିବ ।