ରାହୁଲ, ପନୌତି, ପଲିଟିକ୍ସ । ବୟାନ ପାଇଁ ତେଜୁଛି ବିବାଦ, ମିଳିଲା ନୋଟିସ, ବଢ଼ିଲା ବିରୋଧ

87

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କ କାରଣ ଦର୍ଶାଅ ନୋଟିସ ମିଳିବା ପରେ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ହୋଇଛି ବୟାନବାଜୀ । ରାହୁଲଙ୍କୁ କିଏ ଯୋଦ୍ଧା କହିଛି ତ ପୁଣି କିଏ କହିଛି ନିର୍ଭୀକ । ବିଜେପି ବିରୋଧୀ ଦଳ କହିଛନ୍ତି ସଚ୍ଚୋଟତା ପାଇଁ ରାହୁଲଙ୍କୁ ବାରମ୍ବାର ଏଭଳି ସମସ୍ୟା ଦେଇ ଗତି କରିବାକୁ ପଡୁଛି କିନ୍ତୁ ଶେଷରେ ତାଙ୍କର ବିଜୟ ହେବ । ବିଜେପିକୁ ଟାର୍ଗେଟ କରି ରାହୁଲଙ୍କ ମନୋବଳ ବୃଦ୍ଧି କରିଛନ୍ତି ବିଭିନ୍ନ ଦଳ ।

ଜନସଭାର ପ୍ରଧାନମନ୍ତ୍ରୀଙ୍କୁ ପନୌତି କହି ରାହୁଲ ଅଡୁଆରେ ପଡିଥିବାବେଳେ ସେପଟେ କଂଗ୍ରେସର ନୂଆ ସୋସିଆଲ ମିଡିଆ ପୋଷ୍ଟ ବିବାଦର ନିଅାଁରେ ଘିଅ ଢ଼ାଳିଛି । ଦଳର ଗୋଟିଏ ଲେଖା ପୋଷ୍ଟରେ ଦେଖିବାକୁ ମିଳିଛି ‘ପନୌତି ଏ ଆଜମ’ । ପୁରୁଣା ହିନ୍ଦି ସିନେମା ମୁଗୁଲ ଏ ଆଜମ ପରି ଏକ ଫଟୋ ରହିଛି । ପରଦା ଭିତରୁ ମୋଦୀଙ୍କ ସାମାନ୍ୟ ଝଲକକୁ ସ୍ଥାନ ଦିଆଯାଇଛି ଆଉ ଲେଖାଯାଇଛି ‘ପନୌତି ଏ ଆଜମ’ । ସେପଟେ ପଂଜାବ ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆରେ ଏକ କାର୍ଟୁନ ପୋଷ୍ଟ କରିଛି । ମୋଦୀଙ୍କ ମୁହଁ ପରି ସାମଞ୍ଜସ୍ୟ ଥିବା ବ୍ୟକ୍ତିକୁ ସ୍ଥାନ ଦିଆଯାଇଛି ।ପଛରେ କୋଭିଡ, ଚନ୍ଦ୍ରଯାନ ଟୁ, ବିଶ୍ୱକପ, ବିମୁଦ୍ରାକରଣ ଚିତ୍ର ଦେଖିବାକୁ ମିଳିଛି । ଫଟୋରେ ଲେଖାଯାଇଛି ପନୌତି ତୁମେ କେବେ ଯିବ? ଘଟଣାକୁ ନେଇ କଂଗ୍ରେସ ଓ ରାହୁଲଙ୍କୁ ନିନ୍ଦା କରିଛି ବିଜେପି ।

ପ୍ରଥମେ ରାହୁଲଙ୍କ ବୟାନ ଆଉ ଏବେ କଂଗ୍ରେସର ଫଟୋ ପୋଷ୍ଟ । ଆଗକୁ ନିର୍ବାଚନ ଆସୁଥିବା ସମୟରେ କଂଗ୍ରେସ ଓ ଦଳୀୟ ନେତାଙ୍କ ଏଭଳି ବୟାନ ହୁଏତ ସମସ୍ୟା ଆଣିପାରେ । କିଛି ଦିନ ପୂର୍ବରୁ ହିଁ ମୋଦୀ ସାଂଗିଆ ମାମଲାରେ ରାହୁଲଙ୍କୁ ଆଶ୍ୱସ୍ତି ମିଳିଥିଲା । ଏବେ ପନୌତି ପାଇଁ ମିଳିସାରିଛି ଇସିଙ୍କ ନୋଟିସ । ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆପତିଜନକ ଟିପ୍ପଣୀ ଦେବାପରେ କଂଗ୍ରେସ ବିରୋଧରେ ବିଜେପିର ଆଗାମୀ ଆଭିମୁଖ୍ୟ କ’ଣ ରହିବ ଏହା ଉପରେ ନଜର ରହିଛି