ତୃତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ଦ୍ୱନ୍ଦ୍ୱ । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ମେ ମାସରେ କୋଭିସିଲ୍ଡ ଟିକା ପଂହଚିବା ସମ୍ଭାବନା କ୍ଷୀଣ ।

121

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ଅନ୍ଲାଇନ୍ ପଞ୍ଜିକରଣ । ଏହି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାୟ ୨ କୋଟି ଯୁବକଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ଥିବା ବେଳେ ଦେଶରେ ଏହିବର୍ଗରେ ଅଛନ୍ତି ପ୍ରାୟ ୬୫ କୋଟି ଲୋକ । ମେ’ ପହିଲାରୁ ଆରମ୍ଭ ହେଉଥିବା ଟିକାକରଣରେ ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବବର୍ଗଙ୍କୁ ସାମିଲ କରାଯାଇଥିବା ବେଳେ ପୂର୍ବ ଦୁଇ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ବହୁ ଅଧିକ ଲୋକଙ୍କ ଟିକାକରଣ ହେବ । ଆଉ ଠିକ୍ ଏତିକି ବେଳେ ଟିକାକରଣରେ ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ଯେତେବେଳେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି- ଟିକା ଆସିଲେ ଟିକାକରଣ ହେବ ।

ଘରେ ନପଶୁଣୁ ଚାଲ ବାଜିଲା ଭଳି ହୁଏତ, ସ୍ଥିତିଟିଏ ଉପୁଜିବା ପାଇଁ ଯାଉଛି ଯେତେବେଳେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ପୂର୍ବରୁ ଟିକାକରଣରେ ବିଳମ୍ବ ହେବାର ଆଶଙ୍କା ପ୍ରକାଶ ପାଇଛି । ଓଡ଼ିଶାକୁ ଟିକା ଆସିବାରେ ବିଳମ୍ବ ହେବାର ଆଶଙ୍କା କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶ । ତାଙ୍କ ସୂଚନା ଅନୁସାରେ- କୋଭିଡସିଲ୍ଡ ଟିକା ପହଁଚିବା ସମ୍ଭାବନା କ୍ଷୀଣ । ମେ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଆସିପାରେ । କିନ୍ତୁ କୋଭିସିଲ୍ଡ ଟିକା ପହଁଚିପାରିବ କି ନାହିଁ କହିହେବ ନାହିଁ । ଏଭଳି ସ୍ଥିତିରେ ଟିକା ଆସିଲେ ଓଡ଼ିଶାରେ ଟିକାକରଣ ହେବ ।

ଏହି ଆଶା-ଆଶଙ୍କା ଭିତରେ ଓଡ଼ିଶାରେ ଯେତିକି ଟିକା ଅଛି, ତାହା ୨ରୁ ୩ଦିନରେ ସରିଯିବ । ସୋମବାର ୫୯୫ଟି କେନ୍ଦ୍ରରେ ଟିକାକରଣ ହୋଇଥିଲା । ଯେଉଁଥିରେ ୮୮ ହଜାର ୭୭୦ ଜଣଙ୍କୁ ଟିକା ଦିଆଯାଇଛି । ମଙ୍ଗଳବାର ୬୦୦ଟି କେନ୍ଦ୍ରରେ ଟିକାକରଣ ହୋଇଛି । ଆଉ ଏସବୁ ଭିତରେ ରାଜ୍ୟରେ ୧ ଲକ୍ଷ ୨୩ ହଜାର କୋଭିସିଲ୍ଡ ଟିକା ଏବଂ ୩ ଲକ୍ଷ ୬୫ ହଜାର କୋଭାକ୍ସିନ୍ ମହଜୁଦ ରହିଛି ।

ଏସବୁ ଭିତରେ ତୃତୀୟ ପର୍ଯ୍ୟାୟ ଟିକାକରଣରେ ଓଡ଼ିଶା ୨ କୋଟି ଯୁବକ-ଯୁବତୀଙ୍କୁ ମାଗଣା ଟିକା ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ୩କୋଟି ୭୭ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଯୋଗାଇ ଦେବା ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ଓଡ଼ିଶା ସରକାର ଚିଠି ଲେଖିଥିବା ବେଳେ ୧୦ଲକ୍ଷ ୩୪ହଜାର କୋଭାକ୍ସିନ୍ ଟିକା ଯୋଗାଇବା ପାଇଁ ଭାରତ ବାୟୋଟେକ୍କୁ ଚିଠି ଲେଖାଯାଇଛି । ଆଉ ଏସବୁ ଭିତରେ ଯଦି ଠିକ୍ ସମୟରେ ଟିକା ନପହଂଚେ ତେବେ ମେ’ ପହିଲାରୁ ସ୍ୱାଭାବିକ ଭାବେ ଟିକାକରଣ କରିବା ନେଇ ଏକ ସନ୍ଦେହ ଦେଖାଦେଇଛି ।