୨୦୨୦-୨୧ ଶିକ୍ଷାବର୍ଷକୁ ନେଇ ଦ୍ୱନ୍ଦ୍ୱ : ୭ ମାସ ହେଲା ସ୍କୁଲ, କଲେଜ ବନ୍ଦ ; ସିଲାବସ୍‌ କମିବ ନା ଶିକ୍ଷାବର୍ଷ ବଢ଼ିବ ?

1,572

କନକ ବ୍ୟୁରୋ : ୭ ମାସ ହେଲା ସ୍କୁଲରେ ପାଠପଢ଼ା ବନ୍ଦ ରହିଛି । କ୍ଲାସ୍ ହେଉନି କି ଛାତ୍ରଛାତ୍ରୀ ଆସୁନାହାନ୍ତି, ଯେଉଁଥିପାଇଁ ୨୦୨୦-୨୧ ଶିକ୍ଷାବର୍ଷକୁ ନେଇ ଏବେ ଦ୍ୱନ୍ଦ୍ୱ ଲାଗି ରହିଛି । ସିଲାବସ୍‌ କମିବ ନା ଶିକ୍ଷାବର୍ଷ ବଢ଼ିବ, ତାହାକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁ ନାହିଁ । କରୋନା ସଂକ୍ରମଣ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ସ୍କୁଲରେ କ୍ଲାସରୁମ୍‌ ପାଠପଢ଼ା ହୋଇ ନ ଥିବାରୁ କେମିତି ଓ କିଭଳି ଭାବେ ଶିକ୍ଷାବର୍ଷ ଶେଷ ହେବ, ତାହାକୁ ନେଇ ସମସ୍ତେ ଚିନ୍ତାରେ । ଶିକ୍ଷା ମନ୍ତ୍ରଣାଳୟ କିମ୍ବା ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ ଓ କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ସାମିନେସନ ବୋର୍ଡ ପକ୍ଷରୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରୁ ନାହିଁ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ସିଲାବସ୍ ଆହୁରି ୫୦% ଆହୁରି ହ୍ରାସ କରିବାକୁ କେ‌‌ତେଜଣ ଶିକ୍ଷାବିତ୍‌ ମତ ହେଉଥିବା ବେଳେ ଆଉ କିଛି ଜଣ ଶିକ୍ଷାବର୍ଷକୁ ବୃଦ୍ଧି କରି ଉକ୍ତ ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷା ୪୫ରୁ ୬୦ ଦିନ ବିଳମ୍ବ କରିବାକୁ ପ୍ରସ୍ତାବ ରଖିଛନ୍ତି ।

ସୂଚନା ଅନୁଯାୟୀ ସିବିଏସ୍‌ଇ, ସିଆଇଏସ୍‌ସିଇ ସମେତ କେତେକ ରାଜ୍ୟ ବୋର୍ଡ ସିଲାବସ୍‌କୁ ୨୫ରୁ ୩୦% ପର୍ଯ୍ୟନ୍ତ ହ୍ରାସ କରିଛନ୍ତି । ବିଦ୍ୟାଳୟ ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇପାରି ନାହିଁ। କେବଳ ଯାହା ଅନ୍‌ଲାଇନ୍ କ୍ଲାସ୍ ସମ୍ଭବପର ହୋଇଛି। ଯଦିଓ ଅକ୍ଟୋବର ୧୫ରୁ ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ର ସରକାର ଅନଲକ୍ ୫.୦ରେ ଅନୁମତି ଦେଇଛନ୍ତି, ତେବେ ଉପସ୍ଥାନ ଆଶାନୁରୂପ ହୋଇପାରି ନାହିଁ । ‌ଅଧିକାଂଶ ରାଜ୍ୟ ସରକାର ସ୍କୁଲ, କଲେଜ ଖୋଲିବା ସପକ୍ଷରେ ନାହାନ୍ତି । ଜୁଲାଇରେ ସିଲାବସ୍‌ ୩୦% ହ୍ରାସ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କ୍ଲାସ ହୋଇପାରି ନାହିଁ । ଯଦି ଏଭଳି ପରିସ୍ଥିତି ଜାରି ରୁହେ, ତେବେ ବୋର୍ଡ ପରୀକ୍ଷା ପାଇଁ ସିଲାବସ୍ ହ୍ରାସ ହେବାର ସମ୍ଭାବନା ଅଛି । ସିଲାବସ୍‌କୁ ଆହୁରି ହ୍ରାସ କରିବା ଦ୍ୱାରା ତାହାର ପ୍ରଭାବ ପିଲାଙ୍କ ଭବିଷ୍ୟତ ଉପରେ ପଡ଼ିପାରେ । ଛାତ୍ରଛାତ୍ରୀ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେବେ ।

ଅନ୍ୟପକ୍ଷରେ ୨୦୨୧ ଫେବ୍ରୁଆରି ଓ ମାର୍ଚ୍ଚ ମାସ‌ରେ ଆରମ୍ଭ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଦେଢ଼ରୁ ଦୁଇ ମାସ ବିଳମ୍ବ କରିବାରୁ ବି ପ୍ରସ୍ତାବ ରହିଛି । ଶିକ୍ଷାବର୍ଷକୁ ସଂଶୋଧନ କରାଯାଇ ଉଭୟ ଦଶମ ଓ ଦ୍ୱାଦଶ ‌‌ଶ୍ରେଣୀ ପରୀକ୍ଷା ଏପ୍ରିଲ୍‌ରୁ ଆରମ୍ଭ କରି ମେ’ ମାସ‌ରେ ଶେଷ କରିବାକୁ ଚିନ୍ତା କରାଯାଉଛି । ଏହା କରାଯିବା ଦ୍ୱାରା ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ କିଛି ପରିମାଣରେ ଶାରୀରିକ ଭାବେ କ୍ଲାସ କରିପାରିବେ । ଭୁବନେଶ୍ୱରସ୍ଥିତ ସିବିଏସ୍‌ଇ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଅନଲାଇନ୍ କ୍ଲାସ୍ ସେତେଟା ଫଳପ୍ରଦ ହୋଇପାରି ନାହିଁ । ସହରାଞ୍ଚଳ, ଅର୍ଦ୍ଧ ସହରୀ ଓ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଭିନ୍ନଭିନ୍ନ ରହୁଛି ।

ତେଣୁ ପରୀକ୍ଷା ପୂର୍ବରୁ ‌ଯେକୌଣସି ପ୍ରକାରେ କିଛି ଶାରୀରିକ ଶ୍ରେଣୀ କରାଇବାକୁ ଆଶା ରଖିଛୁ । ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ ଏବଂ ପରିସ୍ଥିତିର ସମୀକ୍ଷା କରିବାକୁ ହେବ । ତେଣୁ ଶ୍ରେଣୀଗୃହର ଶିକ୍ଷାଦାନ ଓ ସିଲାବସ୍ ସମାପ୍ତ ହେବା ପାଇଁ ବୋର୍ଡ ପରୀକ୍ଷାକୁ ଏପ୍ରିଲ୍ କିମ୍ବା ତା’ଠାରୁ ଅଧିକ ସ୍ଥାନାନ୍ତର କରିବାକୁ ପଡ଼ିପାରେ । ବିଦ୍ୟାଳୟଗୁଡ଼ିକ ମଧ୍ୟ ପରୀକ୍ଷା ତାରିଖ ସ୍ଥଗିତ ରଖିବା ସହ ସିଲାବସ୍ ୫୦% ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସିଆଇଏସ୍‌ସିଇ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିଲାବସ୍ ହ୍ରାସ ହେବାର ସମ୍ଭାବନା ରହିଛି। ଯଦିଓ ଏହା ବର୍ତ୍ତମାନ ପର୍ଯ୍ୟନ୍ତ କହିପାରିବ ନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ହିଁ ନିଷ୍ପତ୍ତି ନିଆଯିବ ।