କନକ ବ୍ୟୁରୋ: ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ୟୁଜିସି ଚିଠି କରିଥିଲା । କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରରେ ମୋଦୀଙ୍କ ସେଲଫି ପଏଂଟ ଖୋଲିବାକୁ କୁହାଯାଇଥିଲା । କିନ୍ତୁ ଏଥିପାଇଁ ଅର୍ଥ କିଏ ଦେବ ସେ ନେଇ କୌଣସି ଉଲ୍ଲେଖ କରାଯାଇନଥିଲା । ତେଣୁ ଏବେ ଦ୍ୱନ୍ଦ୍ୱ ଯେ କେମିତି ଖୋଲାଯିବ ସେଲଫି ପଏଂଟ । ସେହିପରି ରାଜ୍ୟ ସରକାର ମଧ୍ୟ ନୂଆ ଓଡ଼ିଶା ନାଁରେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ପାଇଁ ଟଙ୍କାର ଅଭାବ ରହିବ ନାହିଁ । କିନ୍ତୁ ୟୁଜିସି ଚିଠି ପ୍ରସଙ୍ଗରେ ଟଙ୍କା କଥାକୁ ଏଡାଇ ଯାଇଛନ୍ତି ।

Advertisment

ଦେଶର ଭିନ୍ନ ଭିନ୍ନ କେନ୍ଦ୍ରିୟ ବିଦ୍ୟାଳୟ ସ୍କୁଲ ଆଗରେ ଲାଗିଥିବା ସେଲଫି ପଏଂଟ ଉପରେ ନଜର ପକାନ୍ତୁ । କେନ୍ଦ୍ର ସରକାରଙ୍କ ଶିକ୍ଷା କ୍ଷେତ୍ରରେ ଯୋଜନାଗୁଡିକୁ କଟ ଆଉଟ ଯୋଗେ ଏଭଳି ସେଲଫି ପଏଂଟର ରୁପ ଦିଆଯାଇଛି । ଏହିଭଳି ସେଲଫି ପଏଂଟ କରିବା ପାଇଁ ୟୁଜିସି ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛି ।..ସେହିଭଳି ନୂଆ ଓଡିଶା ନାମରେ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ କ୍ରୀଡା, ସାଂସ୍କୃତିକ ଓ ସାମାଜିକ ଓ ପ୍ରତିଯୋଗୀତା ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀଙ୍କ ଫଟୋସହ କଲେଜ ଓ ବିଶ୍ୱବିଦ୍ୟାଳୟରେ ଫ୍ଲେକ୍ସ ଲଗାଇବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ମୋଦୀଙ୍କ ସେଲଫି ପଏଂଟ କରିବା ପାଇଁ ୟୁଜିସିର ନିର୍ଦ୍ଦେଶ ପରେ କର୍ତୁପକ୍ଷଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକର କର୍ତୁପକ୍ଷ ୟୁଜିସି ନିୟମ ଅନୁଯାୟୀ ପ୍ରସ୍ତୁତ ହେଉଥିବାବେଳେ ଆଉ ଗୋଟିଏ ପଟେ, ରାଜ୍ୟ ସରକାରଙ୍କ ଅଧୀନସ୍ଥ ଶିକ୍ଷାନୁଷ୍ଠାନଗୁଡିକ ୟୁଜିସିର ନିର୍ଦ୍ଦେଶ ପାଳନ କରିବେ କି ନାହିଁ ଦ୍ୱନ୍ଦ୍ୱରେ ପଡିଛନ୍ତି ।

ଏଥିସହ ୟୁଜିସି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ସେଲଫି ପଏଂଟ କରିବା ପାଇଁ ଆବଶ୍ୟକ ଅର୍ଥ କେଉଁଠୁ ଆସିବ ସେ ନେଇ ତଥ୍ୟ ଦିଆଯାଇନଥିବାରୁ ସେମାନଙ୍କ ଦ୍ୱନ୍ଦ୍ୱ ଆହୁରି ବଢିଯାଇଛି ।

କ୍ୟାମ୍ପସରେ ସେଲଫି ପଏଂଟକୁ ନେଇ କତୁର୍ପକ୍ଷ ଦ୍ୱନ୍ଦ୍ୱରେ ଥିବାବେଳେ, ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାନୁଷ୍ଠାନକୁ ଉନ୍ନତ କରିବାକୁ ଉଦ୍ୟମ କରନ୍ତୁ ବୋଲି ମତ ରଖିଛନ୍ତି ଶିକ୍ଷାବିତ୍ ।

ଏହି ସେଲଫି ପଏଂଟ ଆଗରେ ଛାତ୍ରଛାତ୍ରୀମାନେ ସେଲଫି ଉଠାଇ ସୋସିଆଲ ମିଡିଆରେ ସେୟାର କରିବାକୁ କୁହାଯାଇଛି । ତେବେ ଯୁବ ଏବଂ ନୂଆ ଭୋଟରଙ୍କ ଭୋଟ ହାତେଇବା ପାଇଁ ବିଶ୍ୱବିଦ୍ୟାଳୟ ସ୍ତରରେ ବିଭିନ୍ନ ଯୋଜନାକୁ ବିଜ୍ଞାପନ ଆଳରେ ପ୍ରଚାର ପ୍ରସାର କରାଯାଉଥିବା ସାଧାରଣରେ ଚର୍ଚ୍ଚା ହୋଉଛି ।