ରଥଯାତ୍ରାକୁ ନେଇ ବଢିଲା ଦ୍ୱନ୍ଦ୍ୱ! ଲକଡାଉନ ଅବଧି ବଢିବା ପରେ କିଭଳି ହେବ ରଥ ନିର୍ମାଣ, ଉଠିଲା ପ୍ରଶ୍ନ? ସେବାୟତ କହିଲେ, ଗ୍ରୀନ ଜୋନରେ ରହିଛି ଶ୍ରୀକ୍ଷେତ୍ର, ମିଳୁ ଅବଶ୍ୟକୀୟ ଅନୁମତି ।

375

କନକ ବ୍ୟୁରୋ: ରଥଯାତ୍ରା ହେବ କି ନାହିଁ, ଏହା ପୂର୍ବରୁ ହେବାକୁ ଥିବା ଅନ୍ୟାନ୍ୟ ନୀତି କିପରି ପାଳନ କରାଯିବ, ଏ ନେଇ ଅକ୍ଷି ତୃତୀୟା ପୂର୍ବରୁ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକ ପରେ ବିଧି କିପରି ପାଳନ ହେବ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡାଯାଇଥିଲା । ତାଙ୍କରି ପରାମର୍ଶ ପରେ ଶ୍ରୀମନ୍ଦିର ଭିତରେ ଅକ୍ଷିତୃତୀୟାରେ ରଥ ନିର୍ମାଣ ଅନୁକୁଳ ରୀତିନୀତି ପାଳନ କରାଯାଇଥିଲା । ପୁରୀ ଗଜପତି କହିଥିଲେ, ମେ’ ୩ ତାରିଖ ଲକ୍ଡାଉନ୍ ପରେ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ ରଥଯାତ୍ରା ସଂପର୍କରେ ନିଷ୍ପତି ନିଆଯିବ ।

ଲକ୍ଡାଉନ୍କୁ ଦୁଇ ସପ୍ତାହ ବଢ଼ିବା ପରେ ପୁଣିଥରେ ଆଶଙ୍କା ଭିତରକୁ ଠେଲି ହୋଇଯାଇଛି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କାରଣ ନୂଆ ଗାଇଡ୍ଲାଇନ୍ ଅନୁସାରେ ତିନିଟି ଯାକ ଜୋନ୍ରେ ଅର୍ଥାତ୍ ରେଡ୍, ଅରେଂଜ ଓ ଗ୍ରୀନ ଜୋନରେ ଧାର୍ମିକ ସ୍ଥଳ ଓ ଧାର୍ମିକ ସମାବେଶ ଉପରେ ଲାଗିଥିବା କଟକଣା ଜାରି ରହିଛି । ତେଣୁ ଲକ୍ଡାଉନ୍ ଅବଧି ମଧ୍ୟରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବନାହିଁ । ଅକ୍ଷିତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ, କଟକଣା ଯୋଗୁଁ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ମେ’ ୧୭ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜାରି ରହିବ, ସେପର୍ଯ୍ୟନ୍ତ ଅପେକ୍ଷା କଲେ ରଥକାମ ପ୍ରାୟ ୨୧ ଦିନ ବିଳମ୍ବ ହୋଇସାରିଥିବ । ବିଳମ୍ବରେ କାମ ଆରମ୍ଭ ହେଲେ ରଥନିର୍ମାଣ ସମ୍ଭବ ନୁହେଁ ବୋଲି କହିଛନ୍ତି ବିଶ୍ୱକର୍ମା ସେବାୟତ ।

କେନ୍ଦ୍ର ସରକାରଙ୍କ ତାଲିକାରେ ଗ୍ରୀନ ଜୋନ୍ରେ ରହିଛି ପୁରୀ । ତେଣୁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଯୁକ୍ତି ବାଢିଛନ୍ତି ପରିଚଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର । ସେହିପରି ସରକାର ତୁରନ୍ତ ରଥଯାତ୍ରା ସଂପର୍କରେ ନିଷ୍ପତି ନିଅନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ ସେବାୟତ । ଜୁନ୍ ୨୩ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଦିନ ଗଡ଼ି ଗଡ଼ି ଚାଲିଥିବାରୁ ସଂଦେହ ବଢ଼ି ବଢ଼ି ଚାଲିଛି । ରଥଯାତ୍ରା ନେଇ ପରିଚାଳନା କମିଟି ଓ ସରକାର କି ନିଷ୍ପତି ନେଉଛନ୍ତି, ତା ଉପରେ ରହିଛି ସମସ୍ତଙ୍କ ନଜର ।