ଭୁବନେଶ୍ୱର ଆକ୍ରାନ୍ତଙ୍କୁ ନେଇ ବଢିଲା ଦ୍ୱନ୍ଦ୍ୱ: ବିଏମସି କହୁଛି ରାଜଧାନୀରେ ଆଜି ୩୮ କରୋନା ପଜିଟିଭ; ସେପଟେ ସ୍ୱାସ୍ଥ୍ୟ ବିଭାଗ ତାଲିକାରେ ଖୋର୍ଦ୍ଧାରୁ ଆଜି ଚିହ୍ନଟ ହୋଇଛନ୍ତି ୩୭ ଆକ୍ରାନ୍ତ

କାହା ତଥ୍ୟ ସତ, ବିଏମସି ନା ସ୍ୱାସ୍ଥ୍ୟ ବିଭାଗ?

2,736

କନକ ବ୍ୟୁରୋ: ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ ବଢିଲା ଦ୍ୱନ୍ଦ୍ୱ । ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମେଳ ଖାଉନଥିବାରୁ ଚିନ୍ତା ବଢୁଛି । ବିଏମସି କହୁଛି ରାଜଧାନୀରେ ଆଜି ୩୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତାଲିକାରେ ଖୋର୍ଦ୍ଧାରୁ ଆଜି ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଉଲ୍ଲେଖ ରହିଛି । ଆଜି ଭୁବନେଶ୍ୱରରୁ ୩୮ କରୋନା ପଜିଟିଭ ଚିହ୍ନଟ ହୋଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ୨୬ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ ପହଂଚିଛି । ସେହିପରି ୬ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି । ଆଜିର ୬ ଜଣ ସୁସ୍ଥକୁ ମିଶାଇ ୩୧୪ରେ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୧୭ ।

ଭୁବନେଶ୍ୱରରେ ଏଯାଏ ୮ ଜଣଙ୍କ ମୃତ୍ୟୁ ହୋଇଛି । ଚିହ୍ନଟ ହୋଇଥିବା ସ୍ଥାନୀୟ ଲୋକ ମଧ୍ୟରେ କଳିଙ୍ଗ ବିହାର, ପୋଖରୀପୁଟ, ନୟାପଲ୍ଲୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ୨ଜଣ ଚନ୍ଦ୍ରଶେଖରପୁର, ଗଙ୍ଗନଗର, ନୀଳାଦ୍ରି ବିହାରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଭିନ୍ନ ତଥ୍ୟ ଦେଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ଆଜି ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ପୁରା ଖୋର୍ଦ୍ଧା ଜିଲ୍ଲାରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତେବେ କେବଳ ଭୁବନେଶ୍ୱରରୁ କିଭଳି ୩୮ ପଜିଟିଭ ଆସିଲେ । ସ୍ୱାସ୍ଥ୍ୟ ବିଭାଗ ଓ ବିଏମସି ତଥ୍ୟ ମଧ୍ୟରେ ତାଳମେଳ ରହୁନଥିବାରୁ ସନ୍ଦେହ ସୃଷ୍ଟି ହେଉଛି ।

ସେପଟେ, ରାଜଧାନୀରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ । ଟେଷ୍ଟ ପାଇଁ ୨୫ଟି ୱାର୍ଡ଼କୁ ଚିହ୍ନଟ କରାଯାଇଛି । ଆଜି ପାଂଚରୁ ଛଅଟି ସ୍ଥାନରେ ପରୀକ୍ଷା କରିବ ଭୁବନେଶ୍ୱର ମହାନଗର ନିଗମ । ପ୍ରଥମ ପଯ୍ୟାୟରେ ୨୫ଶହ ଲୋକଙ୍କ ନୁମନା ପରୀକ୍ଷା କରାଯିବ । ମୋଟ ୫ ହଜାର ନମୁନା ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱର ଆରଏମଆରସି ଓ ବିଏମସିର ମିଳିତ ସହଯୋଗରେ ଏହି ପରୀକ୍ଷା କରାଯାଉଛି । କୋଭିଡ଼ ଗାଇଡ଼ଲାଇନକୁ ମାନି ପରୀକ୍ଷା କରାଯାଉଥିବା ବିଏମସି କମିଶନର କହିଛନ୍ତି । ନମୁନା ସଂଗ୍ରହ ବେଳେ ଗୁରୁତ୍ୱର ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିବା ରୋଗୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ । ୨ ପଯ୍ୟାୟରେ ଭୁବନେଶ୍ୱରରେ ହେବ ସେରୋଲୋଜିକାଲ ଟେଷ୍ଟ । ପ୍ରଥମ ପଯ୍ୟାୟ ପାଇଁ ୧୦ରୁ ୧୨ ଦିନ ଲାଗୁଥିବା ବେଳେ ଦ୍ୱିତୀୟ ପଯ୍ୟାୟ ପରୀକ୍ଷା ୨୮ ଦିନ ପରେ କରାଯିବ । ସର୍ଭେ ପାଇଁ ଏବେ ସୁଧା ୫ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ରେ ଆରଏମଆରସିର ୭ରୁ ୧୦ ସଦସ୍ୟ ଅଛନ୍ତି ।