ରାଜ୍ୟରେ ଲୁଚାଯାଉଛି କି କୋଭିଡ୍ ମୃତ୍ୟୁର ସତ ? ସରକାରୀ ତଥ୍ୟ କହୁଛି, ସମ୍ବଲପୁର ଜିଲ୍ଲାରେ ହୋଇଛି ୨୪୦ ଜଣଙ୍କ ମୃତ୍ୟୁ, ହେଲେ ଆରଟିଆଇରୁ ଆସୁଛି ଭିନ୍ନ ତଥ୍ୟ ।

238

କନକ ବ୍ୟୁରୋ : ରାଜ୍ୟରେ ଏବେ କୋଭିଡ୍ ମୃତ୍ୟୁର ଅଡିଟ୍ ଚାଲିଥିବା ସରକାର କହୁଛନ୍ତି । ପ୍ରତିଦିନ ୬୦ରୁ ଅଧିକ ମୃତ୍ୟୁ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଉଛି । ହେଲେ ଏହାରି ଭିତରେ ସମ୍ବଲପୁରରୁ ଆସିଥିବା କିଛି ତଥ୍ୟ ସରକାରଙ୍କ ସଂଖ୍ୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ବଲପୁର ଜିଲ୍ଲାରେ କୋଭିଡରେ ୨୪୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ଆରଟିଆଇରୁ ମିଳିଥିବା ତଥ୍ୟ କହୁଛି କେବଳ ସମ୍ବଲପୁର ମହାନଗର ନିଗମରେ ୮୫୦ରୁ ଅଧିକରୁ ଲୋକ କୋଭିଡରେ ପ୍ରାଣ ହରାଇଛନ୍ତି ।

ଓଡ଼ିଶାରେ ଲୁଚାଯାଉଛି କି କୋଭିଡ଼ ମୃତ୍ୟୁର ସଂଖ୍ୟା? ଆରଟିଆଇରୁ ଧରାପଡିଲା ସମ୍ବଲପୁରର ସତ । ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ସମ୍ବଲପୁର ଜିଲ୍ଲାରେ କୋଭିଡ଼ ମୃତ୍ୟୁ ସଂଖ୍ୟା ୨୪୦ । ହେଲେ ଆରଟିଆଇରୁ ମିଳିଥିବା ତଥ୍ୟ କହୁଛି, କେବଳ ସମ୍ବଲପୁର ମହାନଗର ନିଗମରେ ୮୫୪ ଜଣ କୋଭିଡରେ ପ୍ରାଣ ହରାଇଛନ୍ତି ।

ମହାନଗର ନିଗମ ଅଞ୍ଚଳକୁ ଛାଡ଼ିଲେ ସମ୍ବଲପୁରରେ ଆହୁରି ୯ଟି ସିଏଚସି ଓ ୩୦ଟି ପିଏଚସି ସହ ଅନ୍ୟ ହସ୍ପିଟାଲ ରହିଛି । ତେବେ ସମ୍ବଲପୁରରେ କୋଭିଡ଼ ମୃତ୍ୟୁ ସଂଖ୍ୟା ଅତି କମରେ ୫ଗୁଣ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।

ନଜର ପକାନ୍ତୁ, ଆରଟିଆଇରୁ ମିଳିଥିବା ସୂଚନା ଉପରେ ।
– ୨୦୨୦ ଜୁନ୍’ରେ ସମ୍ବଲପୁର ମହାନଗର ନିଗମରେ କୋଭିଡ଼ ମୃତ୍ୟୁ ହୋଇଥିଲା
– ଜୁନରେ ଜଣଙ୍କର, ଜୁଲାଇରେ ୪, ଅଗଷ୍ଟରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା
– ସେପ୍ଟଟେମ୍ବରରେ ୧୬୦, ଅକ୍ଟୋବରରେ ୧୨୬ ଜଣ ପ୍ରାଣ ହରାଇଥିଲେ
– ନଭେମ୍ବରରେ ୪୮, ଡିସେମ୍ବରରେ ୧୮ଜଣଙ୍କ ମୃତ୍ୟୁ ଘଟିଥିଲା

ଏହି ସଂଖ୍ୟାକୁ ହିସାବକୁ ନେଲେ ସ୍ପଷ୍ଟ ଭାବେ ଜଣାପଡୁଛି, କେବଳ ୨୦୨୦ରେ ୩୮୭ ଜଣ କୋଭିଡରେ ପ୍ରାଣ ହରାଇଥିଲେ । ହେଲେ କାହିଁକି ସମ୍ବଲପୁର ଜିଲ୍ଲାରେ ସରକାର ୨୪୦ ଜଣଙ୍କର ମୃତ୍ୟୁ ଦେଖାଇଛନ୍ତି, ତାହା ପ୍ରଶ୍ନ ସୃଷ୍ଟି କରୁଛି ।

ସେହିଭଳି ୨୦୨୧ରେ ଜାନୁଆରୀରୁ ଜୁଲାଇ ମଧ୍ୟରେ ସମ୍ବଲପୁର ମହାନଗର ନିଗମରେ ୪୬୭ ଜଣ କୋଭିଡରେ ପ୍ରାଣ ହରାଇଥବା ରିପୋର୍ଟ ମିଳିଛି । ମେ’ରେ ସର୍ବାଧିକ ୨୬୩ ଜଣଙ୍କ ଦେହାନ୍ତ ହୋଇଥିଲା । ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଦାୟିତ୍ୱରେ ଥିବା ମେଡିକାଲ ଅଫିସରୁ ମିଳିଥିବା ଏହି ତଥ୍ୟ ସ୍ପଷ୍ଟ ସଂକେତ ଦେଉଛି, କୋଭିଡ ମୃତ୍ୟୁର ସତକୁ ରାଜ୍ୟ ସ୍ତରରେ ଚପାଯାଉଛି ।

ଗତ କିଛି ମାସ ହେଲା ରାଜ୍ୟରେ କୋଭିଡ ପ୍ରକୋପ କମିବା ପରେ ରାଜ୍ୟସ୍ତରରେ ଅଡିଟ କରି କୋଭିଡ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଅଣାଯାଉଛି । ହେଲେ ଜିଲ୍ଲାସ୍ତରରୁ ଆସିଥିବା ଏହି ରିପୋର୍ଟ ସରକାରଙ୍କ ଅଡିଟ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି ।