ରାଜ୍ୟରେ କମୁଛି କରୋନା ସଂକ୍ରମଣ, ହେଲେ ସ୍ଥିର ରହୁଛି ମୃତ୍ୟୁ ସଂଖ୍ୟା । କାହିଁକି କମୁନି ମୃତ୍ୟୁ ସଂଖ୍ୟା, ବଢ଼ୁଛି ଦ୍ୱନ୍ଦ୍ୱ ।

285

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମି କମି ଚାଲିଛି । ହେଲେ, ମୃତ୍ୟୁ ସଂଖ୍ୟା ପ୍ରାୟ ସ୍ଥିର ରହୁଛି । ସଂକ୍ରମଣ କମୁଥିଲେ ବି କାହିଁକି ମୃତ୍ୟୁ ସଂଖ୍ୟା କମୁନି ତାକୁ ନେଇ ବଢ଼ିବାରେ ଲାଗିଛି ଦ୍ୱନ୍ଦ୍ୱ । ପ୍ରଶ୍ନ ଉଠୁଛି, ସୁପ୍ରିମକୋର୍ଟଙ୍କ ତାଗିଦ ପରେ ବଦଳି ଯାଇଛି କି ସରକାରଙ୍କ ଆଭିମୁଖ୍ୟ ।

କରୋନାର ଦ୍ୱିତୀୟ ଲହରରେ ରାଜ୍ୟ ସରକାର ଦେଇଥିବା ମୃତ୍ୟୁର ହିସାବ ଉପରେ ନଜର ପକାନ୍ତୁ । ମେ’ ମାସରେ ଯେତେବେଳେ ରାଜ୍ୟରେ କରୋନା ଶୀର୍ଷ ଦେଇ ଗତି କରୁଥିଲା, ସେତେବେଳେ ମୃତ୍ୟୁ ସଂଖ୍ୟା କମ ଥିଲା । ଆଉ ଜୁନ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା, ହେଲେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବଢି ଯାଇଥିଲା ।

ସେହିପରି ଜୁଲାଇ ମାସ ପ୍ରଥମ ୪ ଦିନରେ କରୋନାଜନିତ ମୃତ୍ୟୁ ୧୭୮ ବୋଲି ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି । ଅର୍ଥାତ ଦିନକୁ ପାଖାପାଖି ୪୫ ମୃତ୍ୟୁ ଦେଖାଉଛନ୍ତି ସରକାର । ସରକାରୀ ତାଲିକାରେ ବେଶ କିଛି ଦିନ ହେଲା ଦୈନିକ ମୃତ୍ୟୁ ସଂଖ୍ୟା ୪୦ରୁ ୪୫ ଭିତରେ ରହୁଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶୀର୍ଷ ଛୁଇଁଛି, ତଳକୁ ଖସିଛି । ହେଲେ କରୋନା ମୃତ୍ୟୁ, ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଭିତରେ ଏପଟ ସେପଟ ହେଉଛି ।

ଦ୍ୱିତୀୟ ଲହର କରୋନା ମୃତ୍ୟୁ
ମାସ                     ସଂକ୍ରମଣ               ମୃତ୍ୟୁ
ଏପ୍ରିଲ                  ୧,୧୩,୫୯୧              ୧୧୮
ମେ’                    ୩,୨୦, ୮୦୩           ୭୧୧
ଜୁନ                     ୧,୪୪,୭୭୬            ୧୨୬୪
ଜୁଲାଇ(୧-୪)           ୧୨,୦୯୬               ୧୭୮

ତେବେ ପ୍ରଶ୍ନ ଉଠୁଛି, କାହିଁକି କମୁନି ମୃତ୍ୟୁ ସଂଖ୍ୟା? ପୂର୍ବ ଆକ୍ରାନ୍ତଙ୍କ ହେଉଛି କି ଅଧିକ ମୃତ୍ୟୁ? ନା’ ନିକଟରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ମୃତ୍ୟୁ ହେଉଛି? ନା’ ଅଡିଟ୍ ହେବା ପରେ ପୁରୁଣା ମୃତ୍ୟୁର ହେଉଛି ନୂଆ ହିସାବ?

ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠୁଛି । ତେବେ ଲାଇଭ ସୋ’ରେ କନକ ନ୍ୟୁଜକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର କହିଛନ୍ତି ଯେ ପୂର୍ବରୁ ହୋଇଥିବା ମୃତ୍ୟୁର ଅଡିଟ୍ ହେବା ପରେ କରୋନା ମୃତ୍ୟୁ ସଂଖ୍ୟାରେ ଏହାକୁ ମିଶାଯାଉଛି ।

ଯଦି ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ମୁତାବକ ପୂର୍ବ ମୃତ୍ୟୁର ଅଡିଟ୍ କରାଯାଇ ତଥ୍ୟ ପ୍ରକାଶ ପାଉଛି । ତେବେ ପ୍ରଶ୍ନ ଉଠୁଛି, ୨ ଦିନ ମଧ୍ୟରେ ମୃତ୍ୟୁର ଅଡିଟ୍ ହେବା ନେଇ ରହିଥିବା ନିର୍ଦ୍ଦେଶନାମାକୁ ପାଳନ କରାଯାଉନାହିଁ କାହିଁକି? ନିକଟରେ ସୁପ୍ରିମକୋର୍ଟ କହିଥିଲେ, କୋଭିଡ୍ ହେବା ପରେ ଅନ୍ୟ ରୋଗର ଜଟିଳତାରେ ଜଣେ ମୃତ୍ୟୁବରଣ କଲେ ତାକୁ କରୋନା ମୃତ୍ୟୁ ଭାବେ ଗ୍ରହଣ କରାଯିବ । ତେବେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ପୂର୍ବ ମୃତ୍ୟୁର ନୂଆ ହିସାବ କରାଯାଉନାହିଁ ତ?