ପ୍ରଥମ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ନେଇ ୩ଦଳରେ କନଫ୍ୟୁଜନ୍ । ପ୍ରାର୍ଥୀପତ୍ର ଦାଖଲ ପାଇଁ ହାତରେ ଆଉ ମାତ୍ର ୪୮ ଘଣ୍ଟା

333

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ୪ଟି ଲୋକସଭା ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ମତଦାନ ହେବ । ଯେଉଁଥି ପାଇଁ ରାଜ୍ୟର ପ୍ରମୁଖ ତିନି ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି । କିନ୍ତୁ ୪ ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକାକୁ ନେଇ ଏବେ ବିଜେଡି-ବିଜେପି ଓ କଂଗ୍ରେସ ଦଳରେ ଅଙ୍କ ଛିଣ୍ଡୁନି । ଯାହାକୁ ନେଇ ଏବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦଳରୁ ଟିକେଟ୍ ପାଇବାକୁଥିବା ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି । କାରଣ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପୂର୍ବରୁ ଆସନ୍ତା ୨୫ ତାରିଖ ମଧ୍ୟରେ ପ୍ରାର୍ଥୀ ପତ୍ର ଦାଖଲ କରିବାର ଶେଷ ଦିନ ଧାର୍ଯ୍ୟ କରାଯାଇଛି । କିନ୍ତୁ ଏଯାବତ୍ ତିନି ଦଳରେ ଉଭୟ ଲୋକସଭା ଓ ବିଧାନସଭାର ବିଭିନ୍ନ କ୍ଷେତ୍ରକୁ ନେଇ ଦ୍ୱନ୍ଦ ଲାଗି ରହିଛି ।

ବିଜେଡି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୪ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ତାଲିକା ଦେଇଥିବାବେଳେ ଏଥିମଧ୍ୟରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରୁ ୯ଟି ଅସନକୁ ଝୁଲାଇ ରଖିଛି । ସେଥିମଧ୍ୟରେ ରହିଛି- ଲାଞ୍ଜିଗଡ଼, ଝରିଗାଁ, ମାଲକାନଗିରି, ପଟାଙ୍ଗୀ, ବ୍ରଜରାଜନଗର, ବୀରମିତ୍ରପୁର, ବଲାଙ୍ଗୀର, ଲୋଇସିଂହା ଏବଂ ଫୁଲବାଣୀ । ତେବେ ଏହି ସବୁ ଆସନରେ ବିଜେଡି ସୁପ୍ରିମୋ କାହାକୁ ବାଛିବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଅନ୍ୟପଟେ ନିର୍ବାଚନ କମିଶନଙ୍କ ପୂର୍ବ ଘୋଷଣା ମୁତାବକ, ପ୍ରାର୍ଥୀ ପତ୍ର ନାମାଙ୍କନ ଦାଖଲର ଶେଷ ଦିନ ମାର୍ଚ୍ଚ ୨୫ ତାରିଖ ହୋଇଥିବାବେଳେ କେବେ ଏହି ପ୍ରଥମ ପର୍ଯ୍ୟାୟ ଆସନ ଅଙ୍କ ଛିଣ୍ଡିବ ତାହା ଉପରେ ନଜର ରହିଛି ।

ସେପଟେ କେବଳ ଶାସକ ବିଜେଡି ନୁହେଁ ବିରୋଧୀ ବିଜେପି ଓ କଂଗ୍ରେସରେ ସମାନ ସ୍ଥିତି ଲାଗି ରହିଛି । ନିକଟରେ ରାତି ଅଧିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା କଂଗ୍ରେସ ଦଳ ମଧ୍ୟ ପ୍ରଥମ ପର୍ଯ୍ୟାୟର ହେବାକୁଥିବା କୋରାପୁଟ ସଂସଦୀୟ କ୍ଷେତ୍ର ସହ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କାହାକୁ ପ୍ରାର୍ଥୀ ଦେବ ସେନେଇ ଅଙ୍କ ଛିଣ୍ଡାଇପାରୁନି । ସେହିଭଳି ଗତକାଲି ବିଜେପି ଘୋଷଣା କରିଥିବା ୧୦ଟି ଲୋକସଭା ଏବଂ ୯୯ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକାରେ ପ୍ରଥମ ପର୍ଯ୍ୟାୟ ପାଇଁ ୨ଟି ଲୋକସଭା ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରିନି । ଏଥି ମଧ୍ୟରେ ରହିଛି- କୋରାପୁଟ ଓ କଳାହାଣ୍ଡି ଭଳି ଚର୍ଚ୍ଚିତ ସଂସଦୀୟ କ୍ଷେତ୍ର । ତେବେ ଆସନ୍ତା ୨୪ ତାରିଖ ଦିନ ଛୁଟି ଦିନଥିବାରୁ ନାମାଙ୍କନ ଦାଖଲ କରିପାରିବେ ନାହିଁ ପ୍ରାର୍ଥୀ । ଆସନ୍ତା କାଲି ଏବଂ ଆସନ୍ତା ସୋମବାର ଦୁଇ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବାର ସୁଯୋଗ ମିଳିବ । କିନ୍ତୁ ଏବେ ପ୍ରମୁଖ ଦଳମାନଙ୍କରେ ପ୍ରଥମ ପର୍ଯ୍ୟାୟ ପାଇଁ ବିଭିନ୍ନ ଲୋକସଭା ଓ ବିଧାନସଭା କ୍ଷେତ୍ର ଝୁଲି ରହିଥିବାରୁ ଆଶାୟୀଙ୍କ ମଧ୍ୟରେ ଦ୍ୱନ୍ଦ ରହିଥିବା ଦେଖିବାକୁ ମିଳିଛି ।