କନକ ବ୍ୟୁରୋ : ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କୁ ହତ୍ୟା କରିବାର ମାନସିକତା ସହିତ ଗାଡି ଚଳାଉଥିଲେ । ଏହାର ପ୍ରମାଣ ମିଳିଛି । ଦୁଇଟି ନମ୍ବର ପ୍ଲେଟ ନିଜ ଗାଡିରେ ଲଗାଇ ଲୋକଙ୍କ ଉପରେ ଚଢାଇ ଦେଇଥିଲେ । ଉପରେ ଥିଲା ଅସଲି ନମ୍ବର, ଭିତରେ ଥିଲା ନକଲି ନମ୍ବର ପ୍ଲେଟ । ଲୋକ ଯେତେବେଳେ ଉତ୍ୟକ୍ତ ହୋଇ ଗାଡିକୁ ଭଙ୍ଗାରୁଜା କରିଥିଲେ ମୂଳ ନମ୍ବର ପ୍ଲେଟ ଖସିଯାଇଥିଲା ଓ ନକଲି ନମ୍ବର ପ୍ଲେଟ ଦୃଶ୍ୟମାନ ହୋଇଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ଓ ବିବାଦ ବଢିଲା । ସେଦିନର ସମସ୍ତ ଚିତ୍ରକୁ ବିଶ୍ଲେଷଣ କରିବା ପରେ ଜାଣିବାକୁ ମିଳିଥିଲା, ପୋଲିସ ନମ୍ବର ବଦଳାଇ ନଥିଲା, ବରଂ ଗାଡିରେ ନୁଇଟି ନମ୍ବର ପ୍ଲେଟ ଲାଗିଥିଲା ।
ଜଘନ୍ୟ ମାନସିକତାଧାରୀ ଜଗଦ୍ଦେବ ! ପୂର୍ବରୁ ମର୍ଡର ପ୍ଲାନ ପ୍ରସ୍ତୁତ କରିଥିଲେ ପ୍ରଶାନ୍ତ ! ନକଲି ନମ୍ବର ପ୍ଲେଟ ଦ୍ୱନ୍ଦ୍ୱର ସବୁଠାରୁ ବଡ ତଥ୍ୟ । ମାର୍ଚ୍ଚ ୧୨ ତାରିଖରେ ବାଣପୁର ପଲଟଣ ପଡିଆରେ ଶୋଭାଯାତ୍ରା ଉପରେ ଗାଡି ଚଢାଇ ମାରିବାକୁ ଉଦ୍ୟମ ପରେ ଜନତାଙ୍କ ମାଡରେ ଘାଇଲା ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ସେ ବ୍ୟବହାର କରିଥିଲେ ଦାମୀ ଲ୍ୟାଣ୍ଡ ରୋଭର ଡିସକଭରୀ ଗାଡି । ଲୋକଙ୍କ ଆକ୍ରୋଶ ଏତେ ଅଧିକ ଥିଲା ଯେ, ଗାଡିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲେ । ଗାଡିଟି ଲୋକଙ୍କ ରୋଷର ଶିକାର ହେବା ପରେ ବାହାରିଯାଇଥିଲା ଏହାର ନମ୍ବର ପ୍ଲେଟ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରକୃତ ନମ୍ବର ପ୍ଲେଟ ତଳେ ଅଛି ଆଉ ଏକ ନମ୍ବର ପ୍ଲେଟ, ଯେଉଁଥିରେ ଉଲ୍ଲେଖ ଅଛି ନକଲି ନମ୍ବର ।
ଆଇନ ତିଆରି କରୁଥିବା ଜଣେ ବିଧାୟକ ଗୋଟିଏ ଗାଡିରେ ଦୁଇ ଦୁଇଟି ନମ୍ବର ପ୍ଲେଟ ବ୍ୟବହାର କରିବାକୁ ନେଇ ଏବେ ଉଠିଛି ପ୍ରଶ୍ନ । ପୋଲିସର ବାରଣ ସତ୍ୱେ ପ୍ରଶାନ୍ତ ଜଗଦେବ ବିପକ୍ଷ ଦଳର ଶୋଭାଯାତ୍ରା ଉପରେ ଗାଡି ଚଢାଇ ଅନେକ ଲୋକଙ୍କୁ ହତ୍ୟା ଉଦ୍ୟମ କରିବା ପାଇଁ ପୂର୍ବରୁ ପ୍ଲାନ କରିନଥିଲେ ତ ?
କେହି ବଦଳାଇ ନଥିଲେ ଗାଡି ନମ୍ବର । ବିଧାୟକଙ୍କ ବିଭତ୍ସ କାଣ୍ଡର, ବଡ ତଥ୍ୟ । ବିଧାୟକଙ୍କ ଲ୍ୟାଣ୍ଡ ରୋଭର ଗାଡିରେ ଲାଗିଥିବା ଦ୍ୱିତୀୟ ନମ୍ବର ଏକ ହ୍ୟୁଣ୍ଡାଇ କ୍ରେଟା ଗାଡିର ଜଣାପଡିବା ପରେ ଜଗଦେବଙ୍କ ନାମରେ ହୋଇଥିବା ମୂଳ ମାମଲାରେ ପୋଲିସ ଏବେ ଜାଲିଆତି ଦଫା ଲଗାଇବ ବୋଲି କହିଛି । ଗାଡିରେ ଦୁଇଟି ନମ୍ବର ବ୍ୟବହାର କରି ବିଧାୟକ ପୂର୍ବରୁ ଏକ ବିଭତ୍ସ କାଣ୍ଡ ଘଟାଇବାକୁ ଯୋଜନା କରିଥିଲେ ଓ ଏହା ପ୍ରମାଣିତ ହେଲେ ତାଙ୍କୁ ୭ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ।
ପୂର୍ବରୁ ମଧ୍ୟ ଅନେକ ବିବାଦରେ ଜଡିତ ଚିଲିକାର ବାହୁବଳୀ ବିଧାୟକ ଏହି ଘଟଣା ପରେ ଏବେ ଜେଲରେ ଦିନ କାଟୁଛନ୍ତି । ଏପରିକି ଏହି ବର୍ବର ମାନସିକତା ଯୋଗୁ ବିଜେଡି ତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କରିସାରିଛି । ତେଣୁ ବର୍ତମାନ ତାଙ୍କର ଏହି ଜାଲିଆତି ଜଣାପଡିବା ପରେ ପରିବହନ ବିଭାଗର ରିପୋର୍ଟକୁ ନେଇ ଖୋର୍ଦ୍ଧା ପୋଲିସ ଏକ ପ୍ରେସମିଟରେ ତାଙ୍କର ଏହି କଳାମାରନାମାର ପୋଲ ଖୋଲିବ ବୋଲି ସୂଚନା ମିଳିଛି ।