କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ସମ୍ପତ୍ତି ଥିଓରୀକୁ ନେଇ ଅଡୁଆରେ । ନିର୍ବାଚନୀ ସଭାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

161

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ତେଜିଲା ବୟାନବାଜି । କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ନିକଟରେ ଏକ ବିବୃତିରେ କହିଥିଲେ ଯେ ନିର୍ବାଚନ ପରେ ତାଙ୍କ ସରକାର କ୍ଷମତାକୁ ଆସିଲେ ସର୍ଭେ କରାଯିବ ଏବଂ କାହା ପାଖରେ କେତେ ସମ୍ପତ୍ତି ଅଛି ତାହା ଜଣାପଡ଼ିବ । ଆଉ ଯେତେବେଳେ ସାମ୍ ପିଟ୍ରୋଡାଙ୍କୁ ତାଙ୍କ ବୟାନ ବିଷୟରେ ପଚରାଗଲା, ସେ ଆମେରିକାରେ ଉତ୍ତରାଧିକାର ଟିକସ ବିଷୟରେ ଉଲ୍ଲେଖ କରିଛନ୍ତି ।

  • ସାମଙ୍କ ସମ୍ପତ୍ତି ଥିଓରୀ, ଅଡୁଆରେ କଂଗ୍ରେସ?
  • ‘ମୃତ୍ୟୁ ପରେ ସମସ୍ତ ସମ୍ପତ୍ତି ଯିବ ନାହିଁ ଉତ୍ତରାଧିକାରୀଙ୍କୁ’
  • ବିବାଦ ପରେ ଡ୍ୟାମେଜ କଣ୍ଟ୍ରୋଲ ମୁଦ୍ରାରେ କଂଗ୍ରେସ

ପିଟ୍ରୋଡା କହିଛନ୍ତି ଯେ ଆମେରିକାରେ ଉତ୍ତରାଧିକାରୀ ଟିକସ ରହିଛି । ଯଦି ଜଣେ ବ୍ୟକ୍ତିଙ୍କ ପାଖରେ ୧୦୦ ମିଲିୟନ ଡଲାର ସମ୍ପତ୍ତି ରହିଛି । ତାଙ୍କ ମୃତ୍ୟୁ ପରେ ସମ୍ପତ୍ତିର ୪୫ ପ୍ରତିଶତ ତାଙ୍କ ପିଲାଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ସମ୍ପତ୍ତିର ୫୫ ପ୍ରତିଶତ ସରକାରଙ୍କ ମାଲିକାନାରେ ରହିଛି । ଏହା ଏକ ଏପରି ଆଇନ ଯେ ଆପଣ ନିଜ ଜୀବନରେ ବହୁତ ଧନ ଅର୍ଜନ କରିଛନ୍ତି ଏବଂ ପରଲୋକ ପରେ ଆପଣ ନିଜର ସମ୍ପତ୍ତିକୁ ଜନସାଧାରଣଙ୍କ ଉପରେ ଛାଡି ଦେବେ । ସମ୍ପୂର୍ଣ୍ଣ ସମ୍ପତ୍ତିି ନୁହେଁ ବରଂ ଅଧା, ଯାହା ମୋତେ ଠିକ୍ ଲାଗୁଛି । କିନ୍ତୁ ଭାରତରେ ଏଭଳି କୌଣସି ଆଇନ ନାହିଁ । ଯାହାକୁ ସମାଲୋଚନା କରିଛି ବିଜେପି ।

  • ସାମଙ୍କ ସମ୍ପତ୍ତି ଥିଓରୀର କଡ଼ା ଜବାବ
  • ନିର୍ବାଚନୀ ମଞ୍ଚରୁ ମୋଦୀଙ୍କ ସମାଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଛତିଶଗଡ଼ର ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସହ ଉତ୍ତରାଧିକାରୀ ଟିକସ ପ୍ରସଙ୍ଗରେ ସାମ ପିଟ୍ରୋଡାଙ୍କ ବୟାନକୁ ଟାର୍ଗେଟ କରିଛନ୍ତି । କଂଗ୍ରେସର ଉଦ୍ଦେଶ୍ୟ ଭଲ ନୁହେଁ ବୋଲି ସେ କହିଛନ୍ତି । ଏବେ ସେମାନଙ୍କ ଭିତିରିଆ ଉଦ୍ଦେଶ୍ୟ ପଦାକୁ ଆସିଛି । ତେଣୁ ଏବେ ସେମାନେ ଉତ୍ତରାଧିକାର ଟିକସ କଥା କହୁଛନ୍ତି । କଂଗ୍ରେସର ଉଦ୍ଦେଶ୍ୟ ଭଲ ନୁହେଁ । ଆପଣଙ୍କ ରୋଜଗାର, ଘର, ଦୋକାନ, ଚାଷ ଜମି ଉପରେ ମଧ୍ୟ କଂଗ୍ରେସର ନଜର ରହିଛି । କ୍ଷମତାକୁ ଆସିଲେ ମା’ ଭଉଣୀଙ୍କ ପାଖରେ ଥିବା ଛୋଟ ଛୋଟ ଗହଣାର ବି କଂଗ୍ରେସ ତଦନ୍ତ କରିବ । କଂଗ୍ରେସ କ୍ଷମତାକୁ ଆସିଲେ ଆପଣଙ୍କଠୁ ମାତ୍ରାଧିକ ଟିକସ ନେବ ଏବଂ ମୃତ୍ୟୁ ପରେ ବି ସଂପତିରୁ ଟିକସ ନେବ ।

ଏବେ ଉତ୍ତରାଧିକାରୀଙ୍କ ସମ୍ପତ୍ତିରେ ଟିକସ ପ୍ରସଙ୍ଗ ବିବାଦୀୟ ହେବା ପରେ ଡ୍ୟାମେଜ କଂଟ୍ରୋଲ ମୁଦ୍ରାରେ କଂଗ୍ରେସ । ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ସାମ୍ ବିଶ୍ୱର ଅନେକ ଲୋକଙ୍କ ପାଇଁ ମାର୍ଗଦର୍ଶକ । ପିଟ୍ରୋଡା ଯେଉଁ ପ୍ରସଙ୍ଗକୁ ନେଇ ସେ ଦୃଢ଼ ଭାବରେ ଅନୁଭବ କରନ୍ତି ସେ ବିଷୟରେ ନିଜର ମତାମତ ସ୍ପଷ୍ଟ ଭାବରେ ପ୍ରକାଶ କରୁଛନ୍ତି । ତେଣୁ ଏବେ ଅପେକ୍ଷା ଏହି ଉତ୍ତରାଧିକୀରଙ୍କୁ ଟିକସ ପ୍ରସଙ୍ଗରେ କଂଗ୍ରେସ କିଭଳି ଜବାବ ଦେଉଛି ।