ନୀତିଶ ଓ ତେଜସ୍ୱୀଙ୍କ ମଧ୍ୟରେ ଖାଲି ପଡିଲା ଆସନ । ରୋଚକ ହେଉଛି ବିହାର ରାଜନୀତି ।

161

କନକ ବ୍ୟୁରୋ : ବିହାର ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ଜେଡିୟୁ-ଆରଜେଡିର ମିଳିତ ସରକାରରେ ଏବେ ହଲଚଲ ଆରମ୍ଭ ହୋଇଛି । ଗତକାଲି ଅମିତ ଶାହାଙ୍କ ଘରେ ବିହାର ବିଜେପି ନେତାଙ୍କ ବୈଠକ ପରେ ବିହାରରେ ଥିବା ଜେଡିୟୁ-ଆରଜେଡିର ମିଳିତ ସରକାରକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଖୁବଶୀଘ୍ର ସରକାରରୁ ଜେଡିୟୁ ଓହରିବା ନେଇ ନୀତିଶ କୁମାର ବଡ ନିଷ୍ପତ୍ତି ନେଇପାରନ୍ତି । ତେବେ ଜେଡିୟୁ-ଆରଜେଡି ମଧ୍ୟରେ ଯେ ସବୁକିଛି ଠିକ୍ ଚାଲିନାହିଁ ତାହା ଗଣତନ୍ତ୍ର ଦିବସ ସମାରୋହରୁ ସଂକେତ ମିଳିଛି ।

ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ପାଇଁ ମଞ୍ଚରେ ବସିବା ପାଇଁ ପାଖାପାଖି ଚୌକି ପଡିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡିଥିବା ଚୌକିରେ ନବସି ଗୋଟିଏ ଆସନ ଛାଡି ବସିଥିଲେ ତେଜସ୍ୱୀ ଯାଦବ । ଉଭୟ ନୀତିଶ ଓ ତେଜସ୍ୱୀଙ୍କ ମଧ୍ୟରେ ଗୋଟିଏ ଆସନ ଫାଙ୍କା ପଡିଥିବାର ଦେଖିବାକୁ ମିଳିଥିଲା । ସେହିଭଳି ଅନେକ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଉଭୟ ପରସ୍ପର ସହ କଥା ହେଉଥିବାର ଦେଖିବାକୁ ମିଳେ । କିନ୍ତୁ ଗଣତନ୍ତ୍ର ଦିବସ ସମାରୋହରେ ପରସ୍ପର ସହ କୌଣସି କଥା ହୋଇନଥିଲେ ଉଭୟ ନୀତିଶ ଓ ତେଜସ୍ୱୀ । ଆଉ ଉଭୟ ଦଳର ଶୀର୍ଷ ନେତୃତ୍ୱଙ୍କ ଏଭଳି ଆଭିମୁଖ୍ୟ ବିହାର ରାଜନୀତିକୁ ରୋଚକ କରୁଛି ।