କନକ ବ୍ୟୁରୋ: ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଭାରତୀୟ ଟିମର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ମିଳିଛି ନୂଆ ଦାୟିତ୍ବ । କିନ୍ତୁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ କିଏ ହେବେ ସେ ନେଇ ସ୍ଥିତି ଅସ୍ପଷ୍ଟ ରହିଛି । ତେବେ ମୁଖ୍ୟ କୋଚ ଭାବେ ନିଜ ପସନ୍ଦର ସହଯୋଗୀ ଚାହୁଁଛନ୍ତି ଗମ୍ଭୀର । ଏନେଇ ସେ ବିସିସିଆଇ ଆଗରେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ତେବେ ଗମ୍ଭୀରଙ୍କ କିଛି ପ୍ରସ୍ତାବକୁ ନେଇ ବିସିସିଆଇ ମଧ୍ୟରେ କଥା କଟାକଟି ହୋଇଥିବା ଜଣାପଡ଼ିଛି । ସହଯୋଗୀ କୋଚ ନେଇ ଗମ୍ଭୀର ଦେଇଥିବା ପ୍ରସ୍ତାବକୁ ବିସିସିଆଇ ପ୍ରତ୍ୟାଖାନ କରିବା ଘଟଣା ସାମ୍ନାକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ମତଭେଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୁଖ୍ୟ କୋଚ ଭାବେ ଦାୟିତ୍ବ ନେବା ପୂର୍ବରୁ ନିଜ ପସନ୍ଦର ସହଯୋଗୀ ଚୟନ ପାଇଁ ସର୍ତ୍ତ ରଖିଥିଲେ ଗମ୍ଭୀର । ଏଥିରେ ବିସିସିଆଇ ପକ୍ଷରୁ ମଧ୍ୟ ସହମତି ପ୍ରକାଶ କରାଯାଇଥିଲା । କିନ୍ତୁ କୋଚ ନିଯୁକ୍ତ ହେବା ପରେ ଏହି ଘଟଣାକୁ ନେଇ ମତଭେଦ ଦେଖାଦେଇଛି । ରାହୁଲ ଦ୍ରାବିଡଙ୍କ ସହ ବୋଲିଂ କୋଚ ଦାୟିତ୍ବରେ ଥିବା ପାରସ ମହାମ୍ବ୍ରେଙ୍କ କାର୍ୟ୍ୟକାଳ ମଧ୍ୟ ଶେଷ ହୋଇଛି । ତାଙ୍କ ସ୍ଥାନରେ ନୂଆ ବୋଲିଂ କୋଚଙ୍କୁ ନିଯୁକ୍ତି ଦେବ ବସିସିଆଇ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୂର୍ବତନ ବୋଲର ବିୟନ କୁମାରଙ୍କୁ ସହଯୋଗୀ କୋଚ ଭାବେ ନିଯୁକ୍ତି ଦେବାକୁ ସର୍ତ୍ତ ରଖିଥିଲେ ଗମ୍ଭୀର । କିନ୍ତୁ ଏହି ପ୍ରସ୍ତାବରେ ରାଜି ନାହିଁ ବିସିସିଆଇ । ଟିମ ଇଣ୍ଡିଆର ପୂର୍ବତନ ବୋଲର ଜାହିର ଖାନ କିମ୍ବା ଲକ୍ଷ୍ମୀପତି ବାଲାଜୀଙ୍କୁ ଦାୟିତ୍ବ ଦେବାକୁ ବିଚାର ମ୍ୟାନେଜମେଣ୍ଟ କରୁଥିବା ଜଣାପଡ଼ିଛି। ଯାହାକୁ ନେଇ ବିସିସିଆଇ ଉପରେ ଖପ୍ପା ହୋଇଛନ୍ତି ଗୌତମ । ଏବେ ବୋଲିଂ କୋଚ ଭାବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଫାଷ୍ଟ ବୋଲର ମର୍ଣ୍ଣିଂ ମୋର୍କେଲଙ୍କୁ ବୋଲିଂ କୋଚ କରିବାକୁ ଚାହୁଁଛନ୍ତି ଗମ୍ଭୀର । ଏନେଇ ସେ ବିସିସିଆଇକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଯଦି ମୋର୍କେଲ ଭାରତୀୟ ଟିମ୍ର ବୋଲିଂ କୋଚ ହୁଅନ୍ତି ତେବେ ଏହା ଖେଳାଳିଙ୍କ ପାଇଁ କେତେ ଲାଭ ଦାୟକ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।