ଅଷ୍ଟ୍ରେଲିଆରେ ମିଡିଆ ହାଉସ୍ ଏବଂ ଇଣ୍ଟରନେଟ୍ ପ୍ଲାଟଫର୍ମ ମଧ୍ୟରେ ବିବାଦ । ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ଭାବେ ଖବର ହଟାଇଲା ଫେସବୁକ୍ ।

83

କନକ ବ୍ୟୁରୋ: ଡିଜିଟାଲ ଦୁନିଆଁରେ ନ୍ୟୁଜ ଦେଖିବାର ପ୍ଲାଟଫର୍ମ ବନିଯାଇଛି ଗୁଗୁଲ ଓ ଫେସବୁକ୍ । ମୂହୁର୍ତ୍ତକରେ ଆପଣଙ୍କ ପାଖକୁ ଖବର ପହଁଚି ଯାଉଛି ଏବଂ ଆପଣ ସହଜରେ ଏହି ଖବରକୁ ପଢ଼ି ପାରୁଛନ୍ତି କିମ୍ବା ଦେଖି ପାରୁଛନ୍ତି । କିନ୍ତୁ, ଆପଣ ଜାଣିଛନ୍ତି କି, ଖବର ଏକ ମିଡିଆ ହାଉସ ପ୍ରସ୍ତୁତ କରୁଛି ଏବଂ ଏହି ଖବରକୁ ଗୁଗୁଲ କିମ୍ବା ଫେସବୁକ ଭଳି ଇଂଟରନେଟ ପ୍ଲାଟଫର୍ମ ଆପଣଙ୍କ ପାଖରେ ପହଁଚାଉଛି ।

ଆମେ ଯେତେବେଳେ ଏଭଳି ଇଂଟରନେଟ ପ୍ଲାଟଫର୍ମରୁ ଖବର ପଢ଼ୁଛୁ, ଆମ ପାଇଁ ସବୁ ମାଗଣା । କିନ୍ତୁ, ବିବାଦ ରହିଛି ଖବର ପ୍ରସ୍ତୁତ କରୁଥିବା ମିଡିଆ ହାଉସ ଓ ଆମ ପାଖରେ ପହଁଚାଉଥିବା ଇଂଟରନେଟ ପ୍ଲାଟଫର୍ମ ମଧ୍ୟରେ । ଏହି ବିବାଦ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆରୁ । ଗତବର୍ଷ ଅଷ୍ଟ୍ରେଲିଆ ସରକାର, ଇଣ୍ଟରନେଟ ପ୍ଲାଟଫର୍ମରେ ଖବରକୁ ବ୍ୟବହାର କରୁଥିବା ଗୁଗୁଲ ଓ ଫେସବୁକ୍ ପରି କମ୍ପାନୀକୁ ମିଡିଆ ହାଉସକୁ ଟଙ୍କା ଦେବା ପାଇଁ ବ୍ୟବସ୍ଥା କରିଥିଲେ । ଏଥିପାଇଁ ଏକ ବିଲ୍ ମଧ୍ୟ ଆଣିଥିଲେ ଅଷ୍ଟ୍ରେଲିଆ ସରକାର କିନ୍ତୁ ଏଥିରେ ରାଜି ହୋଇନଥିଲେ ଗୁଗୁଲ ଓ ଫେସବୁକ୍ ।

ଗୁଗୁଲ ଓ ଫେସବୁକ ବିଭିନ୍ନ ମିଡିଆ ହାଉସର ଖବରକୁ ଲୋକଙ୍କ ପାଖରେ ପହଁଚାଇ ବିଜ୍ଞାପନ ବାବଦରେ କୋଟି କୋଟି ଟଙ୍କା ପାଉଥିବା ଅଭିଯୋଗ ହେଉଛି କିନ୍ତୁ ଯିଏ ଖବରକୁ ପ୍ରସ୍ତୁତ କରୁଛି ତାପାଖକୁ ଟଙ୍କାଟିଏ ମଧ୍ୟ ଯାଉନାହିଁ । ଅଷ୍ଟ୍ରେଲିଆ ଆଣିଥିବା ବିଲ୍ ଅନୁସାରେ ଗୁଗୁଲ ଓ ନ୍ୟୁଜ୍ ସଂସ୍ଥା ମଧ୍ୟରେ ବୁଝାମଣା ହେବା କଥା । ଗୁଗୁଲ ଯେତିକି ଖବର ବ୍ୟବହାର କରିବ ସେହି ଅନୁସାରେ ମିଡିଆ ହାଉସକୁ ଟଙ୍କା ଦେବ । ଏହାକୁ ବିରୋଧ କରି ଫେସବୁକ୍ ଅଷ୍ଟ୍ରେଲିଆରେ ତାର ଫ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ଭାବରେ ଖବରକୁ ହଟାଇ ଦେଇଛି । ସେପଟେ ଗୁଗୁଲ ଆମେରିକା ଓ ଫ୍ରାନ୍ସର କେତେକ ମିଡିଆ ହାଉସ ସହ ଚୁକ୍ତି କରିଛି । ଫେସବୁକର ଯୁକ୍ତି ହେଉଛି ତାର ପ୍ଲାଟଫର୍ମକୁ ବ୍ୟବହାର କରି ମିଡିଆ ହାଉସ ତାର ଖବର ବହୁତ ସଂଖ୍ୟାରେ ଲୋକଙ୍କ ପାଖରେ ପହଁଚାଇ ପାରୁଛି । ଏଥିପାଇଁ ମାଗଣାରେ ସେମାନେ ପ୍ଲାଟଫର୍ମ ଯୋଗାଇ ଦେଉଥିବା ଯୁକ୍ତି କରୁଛନ୍ତି ।

ସେପଟେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ଏବଂ ଏ ବାବଦରେ ଗୁଗୁଲ ଓ ଫେସବୁକ୍ ଉପରେ ଚାପ ପକାଇବା ପାଇଁ ସେ କହିଥିବା ସୂଚନା ମିଳିଛି । ଅନଲାଇନରେ ଖବର ପଢ଼ୁଥିବା ଲୋକଙ୍କ ସଂଖ୍ୟାରେ ଭାରତ, ଚୀନ ପରେ ଦ୍ୱିତୀୟ ସ୍ଥାନରେ ରହିଛି । ତେଣୁ ଏହି ବିବାଦରେ ଭାରତର ଆଭିମୁଖ୍ୟ ଏକ ବଡ ପ୍ରଭାବ ସୃଷ୍ଟି କରିବାର ସମ୍ଭାବନା ରହିଛି ।