ରାଉରକେଲା ବିଶ୍ରାରେ ଶିକ୍ଷା ଅଧିକାରୀ ଓ ଶିକ୍ଷକଙ୍କ ମଧ୍ୟରେ ବିବାଦ । ଶିକ୍ଷକଙ୍କ ଅଭିଯୋଗ, କ୍ଲଷ୍ଟର କାର୍ଯ୍ୟକ୍ରମ ଆୟୋଜନ କରି ନିଜେ ନିଜର ସମ୍ବର୍ଦ୍ଧନା କରାଉଛନ୍ତି ବିଇଓ ।

129

କନକ ବ୍ୟୁରୋ: ନିଜର ସମ୍ବର୍ଦ୍ଧନା ପାଇଁ ନିଜେ ଆୟୋଜନ କରାଉଛନ୍ତି କ୍ଲଷ୍ଟର ମେଳା କାର୍ଯ୍ୟକ୍ରମ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଶିକ୍ଷା ଅଧିକାରୀ ପ୍ରଜ୍ଞା ପରମିତା ଜେନାଙ୍କ ନାଁରେ ଆସିଛି ଏପରି ଅଭିଯୋଗ । ସରକାରଙ୍କ ନୀତି, ନିୟମ ଓ ନିର୍ଦ୍ଦେଶାନାମାକୁ ବେଖାତିର କରି ବିଇଓ ନିଜସ୍ୱ ଶୈଳୀରେ ଦବଙ୍ଗଗିରି ଏବଂ ଯିଏ କଥା ନମାନିଲା ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେବା ଭଳି ଅଭିଯୋଗ ତାଙ୍କ ବିରୋଧରେ ଆସିଛି । କ୍ଲଷ୍ଟର ସ୍ତରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରି ତାଙ୍କୁ ସମ୍ବର୍ଦ୍ଧନା କରିବାକୁ ସେ ନିର୍ଦ୍ଦେଶ ଦେବା ପରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ପର୍ବ ଜାରି ରହିଛି । ଅନୁଗତ ସିଆରସିସିମାନେ ମଧ୍ୟ ଆଗଭର ହୋଇଥିବା ବେଳେ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ର କିନ୍ତୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେବେ ନାଲିଆଖି ଭୟରେ କେହି ପାଟି ଫିଟାଉଥିବା ଅଭିଯୋଗ ଆସିଛି । ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ନାଁରେ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ବିଇଓଙ୍କ ଏଭଳି ଆଭିମୁଖ୍ୟ ଓ କାର୍ଯ୍ୟକଳାପକୁ ଶିକ୍ଷକ ନେତା ଓ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ବିରୋଧ କରିଛନ୍ତି । ଅନ୍ୟପକ୍ଷରେ ଅବସରର ୮/୯ ମାସ ପରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପେନସନ୍ ସମ୍ପର୍କିତ ଫାଇଲ୍ ପ୍ରସ୍ତୁତ ହୋଇପାରୁନଥିବା ବେଳେ ନିଜର ସମ୍ବର୍ଦ୍ଧନା ଉତ୍ସବ ଆୟୋଜନକୁ ବିଇଓ ଗୁରୁତ୍ୱ ଦେବା କିପରି ମାନସିକତା ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।