ଧବଳେଶ୍ୱର ପୀଠରେ ଦୁର୍ବଳ ହେଉଛି ଝୁଲାପୋଲ । କଂକ୍ରିଟ ପୋଲ ନିର୍ମାଣ ପାଇଁ କାମ ଆରମ୍ଭ କଲା ଠକା ସଂସ୍ଥା ।

405

କନକ ବ୍ୟୁରୋ: ଧବଳେଶ୍ୱର ପୀଠକୁ ଯୋଡି ହେବ ପକ୍କା ପୋଲ । ଝୁଲା ପୋଲ ଦୁର୍ବଳ ହୋଇଯାଉଥିବା ବେଳେ ପକ୍କା ପୋଲ ଦେଇ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ । ୨୦୧୮ ମସିହାରୁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା କଂକ୍ରିଟ ପୋଲ ନିର୍ମାଣ ବାବଦକୁ ଅର୍ଥରାଶି ବଢା ଯାଇଛି । ୧୮ କୋଟି ବଦଳରେ ୨୨ କୋଟିର ବ୍ୟୟ ବରାଦରେ ନୂଆ ଟେଣ୍ଡର କରାଯାଇଛି ଏବଂ ଠିକା ସଂସ୍ଥା ପକ୍ଷରୁ ଏବେ ପୋଲ ନିର୍ମାଣର ପ୍ରାଥମିକ ପର୍ଯ୍ୟାୟ କାମ ଆରମ୍ଭ ହୋଇଛି । ଆଗାମୀ ଦୁଇ ବର୍ଷ ଭିତରେ ପୋଲ ନିର୍ମାଣ କାମ ସାରିବା ପାଇଁ ନିର୍ଦ୍ଦେଶ ରହିଛି ।

କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ପୂର୍ବରୁ ଶ୍ରଦ୍ଧାଳୁମାନେ ଡଙ୍ଗା ସାହାଯ୍ୟରେ ମନ୍ଦିରକୁ ଆସୁଥିଲେ । ପରେ ୨୦୦୬ରେ ଏକ ଝୁଲାପୋଲ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିଲା । ଯାହାର ଭାରସାମ୍ୟ କ୍ଷମତା ଥିଲା ୧୨ଶହ ଥିଲା । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ କିଛି ବର୍ଷ ପରେ ଝୁଲା ପୋଲ ଦୃବଳ ହେବାରୁ ଏହାର କ୍ଷମତା ୬ଶହକୁ କମାଇ ଦେଇଛି ଜିଲ୍ଲା ପ୍ରଶାସନ । ଫଳରେ ଧବଳେଶ୍ୱରରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅସୁବିଧା ହେଉଛି । ଏହାକୁ ନଜରରେ ରଖି ପକା ପୋଲ ନିର୍ମାଣ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ବାବା ଧବଳେଶ୍ବରଙ୍କ ପୀଠକୁ କଂକ୍ରିଟ ପୋଲ ସଂଯୋଗ ହୋଇପାରିଲେ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଆସିବା ସହିତ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଶ୍ରଦ୍ଧାଳୁ ଆଶା ରଖିଛନ୍ତି ।