ଶଙ୍ଖା ତିଆରିକୁ କୂଳ ବେଉସା କରି ଚଳୁଥିଲେ କାରିଗର । କରୋନା କଟକଣା ପରେ ପରେ ମାନ୍ଦା ପଡ଼ିଛି ବେପାର ।

83

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୂଆ ବଜାର ଶଙ୍ଖା ପାଇଁ ବେଶ୍ ପରିଚିତ । କହ୍ନେଇ ଲାଲ ନନ୍ଦୀ ଏବଂ ଅଜିତ ନନ୍ଦୀ ଶଙ୍ଖା ବ୍ୟବସାୟ କରନ୍ତି । ଶଙ୍ଖା ତିଆରି ସେମାନଙ୍କ କୁଳ ବେଉସା । ଶଙ୍ଖରୁ ଶଙ୍ଖା ତିଆରି କରି ସ୍ଥାନୀୟ ଅଂଚଳ ସହିତ ପୁରୀ, ଭୁବନେଶ୍ୱର , କଟକ , ରାଉରକେଲା, ଓଡିଶାର ବିଭିନ୍ନ ସ୍ଥାନରେ ବିକ୍ରି କରନ୍ତି । ଏହାସହ ଓଡିଶା ବାହାରକୁ ମଧ୍ୟ ପଠାନ୍ତି । କଟକ ବାଲିଯାତ୍ରା ପରି ରାଜ୍ୟର ବିଭିନ୍ନ ଜାଗାରେ ହେଉଥିବା ପ୍ରସିଦ୍ଧ ପର୍ବପର୍ବାଣୀରେ ଷ୍ଟଲ ମଧ୍ୟ ପକାନ୍ତି । ବିଭିନ୍ନ ଡିଜାଇନର ସୁନା ଶଙ୍ଖା, ପାଣି ଶଙ୍ଖା, ଆଇନା, ବାଦ୍ୟ ଶଙ୍ଖ ତିଆରି କରିଥାନ୍ତି ।

ଶଙ୍ଖା ତିଆରି ପାଇଁ କେରଳର ରାମେଶ୍ୱରମରୁ ଶଙ୍ଖ ଆଣିଥାନ୍ତି ଏହି ଦୁଇ କାରିଗର । ଏମାନେ ତିତକୁଟି, ଶିଙ୍ଘି, ରାମେଶ୍ୱରମ, କେଲାକରାଇ ଓ ପାଟି ପ୍ରଜାତିର ଶଙ୍ଖ ବ୍ୟବହାର କରିଥାନ୍ତି । ଗୋଟିଏ ଶଙ୍ଖରୁ ୨ ହଳ ଶଂଖା ପ୍ରସ୍ତୁତି ହୁଏ, ଯାହା ହଳ ପିଛା ୪ ଶହରୁ ୮ ଶହ ମଧ୍ୟରେ ବିକ୍ରି ହୋଇଥାଏ । ସେହିପରି ଶିଙ୍ଘି କିମ୍ବା ତିତକୁଟି ଶଙ୍ଖରୁ ୨ ରୁ ୩ ହଳ ଶଙ୍ଖା ତିଆରି ହେଉଥିବା ବେଳେ ହଳ ପିଛା ଏକ ହଜାରରୁ ୧୮ ଶହ ମଧ୍ୟରେ ବିକ୍ରି ହୁଏ । ସେହିପରି ଗୋଟିଏ ବାଦ୍ୟ ଶଙ୍ଖ ୨ ଶହରୁ ଆରମ୍ଭ କରି ୭ ଶହ ପର୍ଯ୍ୟନ୍ତ ବିକ୍ରି କରାଯାଏ । ମହାମାରୀ କରୋନା ପାଇଁ ମେଳା ଓ ମହୋତ୍ସବ ଉପରେ କଟକଣା ଥିବାରୁ ଏବେ ବ୍ୟବସାୟ ମାନ୍ଦା ପଡ଼ିଛି । ତେବେ ଆଗକୁ ଅବସ୍ଥା ସୁଧୁରିବ ଓ ପୁଣି ଭଲ ବ୍ୟବସାୟ ହେବ, ଏହି ଆଶାରେ ନିଜ କାମରେ ଲାଗିଛନ୍ତି ଦୁଇ କାରିଗର ।