କନକ ବ୍ୟୁରୋ: କଥାରେ ଅଛି ହାତ ବାଜିଲେ ମାଟି ସୁନା ହୋଇଯାଏ ଆଉ ହାତ ନବାଜିଲେ ମାଟି କେବଳ ମାଟି ହୋଇ ରହିଯାଏ। ଏହାକୁ ସତ କରି ଦେଖାଇଛନ୍ତି ରେମୁଣା ଦୂର୍ଗାଦେବୀ କୁଡିଆ ଗାଁର ବିମଳା ମାଉସୀ। ସ୍ବାମୀ ଆରପାରିକୁ ଚାଲିଯିବା ପରେ ପିଲା ଓ ଘର ଦାୟିତ୍ଵ ବିମଳା ମାଉସୀଙ୍କ କାନ୍ଧ ଉପରେ ପଡ଼ିଲ। । ଘରୁ କେବେ ପଦାକୁ ବାହାରି ନଥିବା ବିମଳା ମାଉସୀଙ୍କର ନୁଆ କିଛି ଶିଖିବାର ଆଗ୍ରହ ତାଙ୍କୁ ସ୍ଵତନ୍ତ୍ର ପରିଚୟ ଦେଲା।

Advertisment

ପ୍ରତ୍ୟେକ ଶୁଭ କାମରେ ଶଙ୍ଖର ଆବଶ୍ୟକତା ପଡ଼େ। ଶଙ୍ଖର ଶବ୍ଦ ସକରାତ୍ମକ ବାତାବରଣ ସୃଷ୍ଟି କରିଥାଏ। ଆଉ ଏଇ ଶଙ୍ଖ ପ୍ରାୟତଃ ସମୁଦ୍ର ଗର୍ଭରୁ ଆସୁଥିବା ଶଙ୍ଖ ହୋଇଥାଏ। ଆଉ ଯାହାର ଦାମ ମଧ୍ୟ ଅଧିକ ଥାଏ। କିନ୍ତୁ ଶଙ୍ଖ ଯେ, ମାଟିରେ ବି ତିଆରି କରିହୁଏ ଆଉ ଏହା ଭିତରୁ ଅବିକଳ ଶଙ୍ଖ ଶବ୍ଦ ବାହାରେ ତାହା ଦେଖିବାକୁ ମିଳେ ରେମୁଣା ଦୂର୍ଗଦେବି କୁଡିଆ ଗାଁରେ। ଆଉ ଏଇ ମାଟି ଶଙ୍ଖ ତିଆରି କରି ଆସୁଛନ୍ତି ବିମଳା ମାଉସୀ।

୨୦୧୧ରେ ସ୍ଵାମୀଙ୍କ ଦେହାନ୍ତ ପରେ ବିମଳା ମାଉସୀଙ୍କ ବଞ୍ଚିବାର ମାଧ୍ୟମ ପାଲଟିଲା ମାଟି। ମାଟିରେ ଶଙ୍ଖ ଓ ବିଭିନ୍ନ ପ୍ରକାରର ମାଟି କଣ୍ଢେଇ ଓ ଖେଳନା ତିଆରି କଲେ ବିମଳା ମାଉସୀ । ପ୍ରଥମେ ନଈ ପଠାରୁ ମାଟି ଆଣି ତାକୁ ଚକଟି ୭ ଦିନ ଯାଏଁ ମାଟିକୁ ରଖିବାକୁ ପଡ଼ିଥାଏ । ତାପରେ ଭଲ ଭାବେ ଚକଟି ଶଙ୍ଖ ପାଈଁ ମାଟି ପ୍ରସ୍ତୁତ କରିଥାନ୍ତି ମାଉସୀ। ଦୁଇ ଘଣ୍ଟା ମଧ୍ୟରେ ଶଙ୍ଖ ତିଆରି କରିଦିଅନ୍ତି ମାଉସୀ। ତାକୁ ଶୁଖାଇ ନିଆଁରେ ପୋଡ଼ି ରଙ୍ଗ ଦିଅନ୍ତି। ଗୋଟା ଶଙ୍ଖ ଆକାର ଅନୁସାରେ ୧୦୦ ଟଙ୍କାରୁ ୩୦୦ ଟଙ୍କା ଭିତର ବିକ୍ରି କରନ୍ତି ମାଉସୀ। ନାରାୟଣୀ ମାଟି ଶଙ୍ଖ ସଂଗଠନ କରି ୫୦ରୁ ଉର୍ଦ୍ଧ ମହିଳାଙ୍କୁ ତାଲିମ୍ ମଧ୍ୟ ଦେଇଛନ୍ତି।

ଆଖ ପାଖ ଅଞ୍ଚଳରେ ହେଉଥିବା ମେଳା ଓ ଷ୍ଟଲକୁ ଯାଇ ତିଆରି କରିଥିବା ଶଙ୍ଖ ଓ ମାଟି କଣ୍ଢେଇ ବିକ୍ରି କରନ୍ତି ମାଉସୀ। ତେବେ ଲାଭ ସେତେ ମିଳୁ ନଥିବା କୁହନ୍ତି ମାଉସୀ ଓ ତାଙ୍କ ସହ କାମ କରୁଥିବା ମହିଳା। ଯଦିଓ କିଛି ସଂଗଠନ ତରଫରୁ ମାଉସୀଙ୍କୁ ସମ୍ବର୍ଦ୍ଧନା ମିଳିଛି କିନ୍ତୁ କୌଣସି ସରକାରୀ ସହାୟତା କିମ୍ବା ଆର୍ଥିକ ସହାୟତା ପାଇନାହାନ୍ତି। ତଥାପି ବିମଳା ମାଉସୀ ନିଜ ଚେଷ୍ଟା ଜାରି ରଖିଛନ୍ତି। ମାଟି ଶଙ୍ଖ ସହ ଖେଳନା କଣ୍ଢେଇ ବନେଇ ଚାଲିଛନ୍ତି।