ଗଞ୍ଜାମରେ କମୁଛି, ଖୋର୍ଦ୍ଧାରେ ବଢୁଛି । ଚିନ୍ତା ବଢାଉଛି ୭ଟି ଜିଲ୍ଲା । ଅଗଷ୍ଟରେ ଉପରମୁହାଁ କରୋନା ମିଟର, ୯ ଦିନରେ ୧୪ ହଜାର ଆକ୍ରାନ୍ତ ଚିହ୍ନଟ ।

5,025

କନକ ବ୍ୟୁରୋ : ରାଜ୍ୟରେ ଆଜି ୧୭୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଡ କଥା ହେଉଛି ଯେ, ଗତ ୨୪ ଘଂଟାରେ ପ୍ରଥମ ଥର ପାଇଁ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାରି ଭିତରେ ଆଜି ରାଜ୍ୟରେ କରୋନାର ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଆଜି ଗଂଜାମକୁ ଡେଇଁ ଆକ୍ରାନ୍ତ ସଂଖ୍ୟାରେ ଆଗରେ ରହିଛି ଖୋର୍ଦ୍ଧା । ତାପଛକୁ କଟକ ଏବଂ ସୁନ୍ଦରଗଡ ଜିଲ୍ଲା ରହିଛନ୍ତି । ତେବେ ରାଜ୍ୟର ଆଉ ୭ଟି ଜିଲ୍ଲାକୁ ନେଇ ଚିନ୍ତା ବଢିଛି । ଆସନ୍ତୁ ଜାଣିବା ଏହି ୭ଟି ଜିଲ୍ଲା କିଏ କିଏ ଏବଂ କାହିଁକି ଏମାନେ ଚିନ୍ତାର କାରଣ ସାଜିଛନ୍ତି ।

ଅଗଷ୍ଟ ୯ ତାରିଖ
ଖୋର୍ଦ୍ଧା           ୩୪୨
ଗଂଜାମ          ୨୨୨
କଟକ            ୧୭୭
ସୁନ୍ଦରଗଡ       ୧୨୬
ନୟାଗଡ         ୧୦୬

ରାଜ୍ୟରେ କରୋନା ସଂକ୍ରମଣରେ ଗଂଜାମକୁ ପଛରେ ପକାଇଛି ଖୋର୍ଦ୍ଧା । ଜିଲ୍ଲାରୁ ରବିବାର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା, ଗଂଜାମ, କଟକ ଏବଂ ସୁନ୍ଦରଗଡ ରାଜ୍ୟର କରୋନା ତାଲିକାରେ ପ୍ରଥମ ୪ଜିଲ୍ଲା ଭାବେ ରହିଥିବା ବେଳେ ରବିବାରର କରୋନା ଗ୍ରାଫରେ ସାମିଲ ହୋଇଛି ନୟାଗଡ । ଗୋଟିଏ ଦିନରେ ଏହି ଜିଲ୍ଲାରୁ ୧୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଂଜାମରେ କମୁଛି, ଖୋର୍ଦ୍ଧାରେ ବଢୁଛି । ଚିନ୍ତା ବଢାଉଛି ୭ଟି ଜିଲ୍ଲା । ଗତ ଏକ ସପ୍ତାହ ହେଲା ରାଜ୍ୟର କରୋନା ହଟସ୍ପଟ୍ ପାଲଟିଥିବା ଗଂଜାମରେ ଭୂତାଣୁ ନିୟନ୍ତ୍ରଣକୁ ଆସିଛି । ହେଲେ ଆଉ କିଛି ଜିଲ୍ଲା ରାଜ୍ୟର ଚିନ୍ତା ବଢାଇ ଦେଇଛି । ଗଜପତି, ଯାଜପୁର, ରାୟଗଡା, ବାଲେଶ୍ୱର, ପୁରୀ, କୋରାପୁଟ ଓ କେନ୍ଦୁଝରରେ ଦ୍ରୁତ ଗତିରେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ଶହେ ପାଖାପାଖି ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏପରିକି ଏହି ୭ଟି ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିଛି । ଦ୍ରୁତ ଗତିରେ ବଢିଚାଲିଥିବା ଏହି ୭ଟି ଜିଲ୍ଲାରେ ଏଯାଏ ୯ ହଜାର ୬୧୯ ଜଣ ସଂକ୍ରମିତ ହୋଇସାରିଲେଣି ।

ଅଗଷ୍ଟରେ କରୋନା ଉପରମୁହାଁ । ୯ ଦିନରେ ୧୪ ହଜାର ଆକ୍ରାନ୍ତ । ଜୁଲାଇ ଭଳି ଅଗଷ୍ଟ ମାସରେ ମଧ୍ୟ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ଦିନକୁ ୧୫ ଶହ ପାଖାପାଖି ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅଗଷ୍ଟ ମାସର ୯ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାରରୁ ଅଧିକ । ରାଜ୍ୟରେ ଏଯାଏଁ ୪୫ ହଜାର ୯୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ତାଲିକାରେ ପ୍ରଥମ ୫ଟି ଜିଲ୍ଲା ହେଉଛି ଗଂଜାମ ୧୨ ହଜାର ୬୩୩, ଖୋର୍ଦ୍ଧା ୬ ହଜାର ୧୦୩, କଟକ ୨୯୫୩, ସୁନ୍ଦରଗଡ ୨୧୧୦ ଏବଂ ଗଜପତି ୧୯୦୪ ।