ଚିନ୍ତା ବଢ଼ାଇଲା ଟିକା ଅଭାବ… ଦୈନିକ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ଫେଲ୍‌

50

ରାଜ୍ୟରେ ଦୈନିକ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ଫେଲ୍‌ ମାରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ପରିମାଣର ଟିକା ନ ପହଞ୍ଚିବା ଯୋଗୁଁ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ ଟିକାକରଣ କରିବା ଲାଗି ରାଜ୍ୟ ସରକାର ବାଧ୍ୟ ହେଉଛନ୍ତି । ଏପରିକି ପ୍ରାୟ ଅଧା କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି । ଓଡ଼ିଶାକୁ ୧୦ ଦିନ ପାଇଁ ୨୫ଲକ୍ଷ ଡୋଜ୍‌ର ‘କୋଭିସିଲ୍‌ଡ’ ଟିକା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖି ସାରିଲେଣି । ଏଭଳି ପରିସ୍ଥିତିରେ ଟିକାର ଅଭାବ ଲାଗି ରହିଲେ, ଆସନ୍ତା ଶନିବାରଠାରୁ ରାଜ୍ୟରେ ଟିକାକରଣ ବନ୍ଦ ହୋଇପାରେ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକି‌ଶୋର ଦାସ।

ଚଳିତମାସ ୧ତାରିଖଠାରୁ ରାଜ୍ୟରେ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। କରୋନାର ଦ୍ବିତୀୟ ଲହରରେ ଦ୍ରୁତ ସଂକ୍ରମଣ ଓ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟ ସରକାର ୪୫ ବର୍ଷରୁ ଅଧିକ ଲୋକଙ୍କୁ ଯଥାଶୀଘ୍ର ଟିକା ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଚଳିତ ମାସ ପହିଲାରୁ କିଛି ଦିନ ପାଇଁ ୨ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିଲା। ଏପରିକି ଗୋଟିଏ ଦିନ ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିଲା।

ମାତ୍ର ଧୀରେଧୀରେ ଟିକାକରଣ ସଂଖ୍ୟା କମିଥିଲା। ଏଥିରେ ମୁଖ୍ୟ ବାଧକ ସାଜିଥିଲା ଟିକାର ଅଭାବ। ବିଶେଷକରି ରାଜ୍ୟବ୍ୟାପୀ ଦିଆଯାଉଥିବା ‘କୋଭିସିଲ୍‌ଡ’ ଟିକା ଯୋଗାଣରେ ହିଁ ସମସ୍ୟା ସୃଷ୍ଟି ହୋଇଥିଲା। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମାତ୍ର ଆବଶ୍ୟକ ଟିକାର ଯୋଗାଣର ଅଭାବ ଯୋଗୁଁ ଧୀରେଧୀରେ ରାଜ୍ୟରେ ଟିକାକରଣ ସଂଖ୍ୟା କମିବାରେ ଲାଗିଛି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିକଟରୁ ଓଡ଼ିଶାକୁ କେତେ ଟିକା ଦିଆଯିବ, ତାହାର କୌଣସି ସୂଚନା ଆସିନାହିଁ। ଆଜି ସୁଦ୍ଧା ପ୍ରାୟ ୩ଲକ୍ଷ ଟିକା ରାଜ୍ୟରେ ମହଜୁଦ ରହିଛି। ତେବେ ଆଗାମୀ ଦିନରେ ରାଜ୍ୟରେ କେତେ ସଂଖ୍ୟକ ଅଧିବେଶନରେ ଟିକା ଦିଆଯିବ, ତାହା ଆସନ୍ତାକାଲିର ଟିକାକରଣ ପରେ ହିଁ ସ୍ପଷ୍ଟ ହୋଇପାରିବ। ମାତ୍ର ରାଜ୍ୟରେ ସଂପୂର୍ଣ୍ଣ ଭାବେ ଟିକାକରଣ ବନ୍ଦ ହେବ ନାହିଁ। ଯେତିକି ଟିକା ରହିଛି, ସେହି ଅନୁପାତରେ ଟିକାକରଣ କରାଯିବ। ଯଦି ଏହି ସମୟରେ କେନ୍ଦ୍ର ସରକାର ଆବଶ୍ୟକ ଟିକା ଯୋଗାଇ ଦିଅନ୍ତି, ତାହାଲେ ପୂର୍ବଭଳି ଟିକାକରଣ ଜାରି ରହିବ ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଆଜି ରାଜ୍ୟରେ ୧ଲକ୍ଷ ୩୨ହଜାର ୮୭୨ ‌ଜଣଙ୍କୁ କୋଭିଡ୍‌ ଟିକା ଦିଆଯାଇଛି। ଏଥିପାଇଁ ସମୁଦାୟ ୮୦୨ଟି ଅଧିବେଶନ ଆୟୋଜିତ ହୋଇଥିଲା। ଏଥିରେ ୪୫ ବର୍ଷରୁ ଅଧିକ ୮୬,୨୭୪ଜଣ ପ୍ରଥମ ଓ ୧୦୨୦ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୬୦ବର୍ଷରୁ ଅଧିକ ୩୪,୬୪୬ଜଣ ପ୍ରଥମ ଓ ୯୬୮୦ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏହାସହ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ମଧ୍ୟ ଟିକା ଦିଆଯାଇଛି। କୌଣସି ବ୍ୟକ୍ତିଙ୍କ ନିକଟରେ ଟିକାର ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ‌ ମୋଟ ୩୯ଲକ୍ଷ ୮୪ହଜାର ୮୭୮ଜଣ ଟିକା ନେଇ ସାରିଲେଣି।